ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର, (ପିଆଇବି) : ବଙ୍ଗୋପ ସାଗରରେ ସୃଷ୍ଟ ଭୀଷଣ ବାତ୍ୟା ‘ମୋନ-ଥା’ ଦ୍ୱାରା ପୂର୍ବତଟ ରେଳପଥ କ୍ଷେତ୍ର ପ୍ରଭାବିତ ହେବ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ପୂର୍ବତଟ ରେଳ ପଥର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ବାତ୍ୟା ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ତି । ବିଶେଷ କରି ଆନ୍ଧ୍ରପ୍ରଦେଶ, ଓଡ଼ିଶା ଏବଂ ତେଲଙ୍ଗାନାରେ ପ୍ରଭାବିତ ହେବାକୁ ଥିବା ରେଳ ଭିତ୍ତିଭୂମିର ସୁରକ୍ଷା ଏବଂ ଯାତ୍ରୀଙ୍କ ନିରାପତ୍ତା ସୁନିଶ୍ଚିତ କରିବା ଉପରେ ରେଳମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ବାତ୍ୟା ପୂର୍ବରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ଶ୍ରୀ ବୈଷ୍ଣବ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଡିଭିଜନ ସ୍ତରୀୟ ଜରୁରିକାଳୀନ କକ୍ଷକୁ କାର୍ଯ୍ୟକ୍ଷମ କରିବା ସହ ସ୍ଥିତି ଉପରେ ୨୪ ଘଣ୍ଟିଆ ନିରୀକ୍ଷଣ ଲାଗି କହିଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା, ବିଶାଖାପାଟଣା ଏବଂ ଗୁଣ୍ଟୁର ଡିଭିଜନରେ ଜରୁରୀ ଉପକରଣ, ଯନ୍ତ୍ରାଂଶ ଏବଂ ଯଥେଷ୍ଟ ସଂଖ୍ୟାରେ ରେଳ କର୍ମଚାରୀଙ୍କୁ ପୁନରୁଦ୍ଧାର ଲାଗି ପ୍ରସ୍ତୁତ ରଖିବା ପାଇଁ ରେଳମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ହ୍ରାସ କରିବା ଲାଗି ରେଳ ଚଳାଚଳ ଉପରେ ନଜର ରଖିବା ଏବଂ ଏହାକୁ ସୁବ୍ୟବସ୍ଥିତ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି । ଜରୁରୀ କାଳୀନ ପରିସ୍ଥିତି ଏବଂ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବା ଲାଗି ପୂର୍ବତଟ, ଦକ୍ଷିଣତଟ ଏବଂ ଦକ୍ଷିଣ କେନ୍ଦ୍ରୀୟ ରେଳ ଜୋନ ଅଧିକାରୀ ମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଡ଼ ପାଇଁ ରେଳ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଇତି ମଧ୍ୟରେ ଯେକୌଣସି ପ୍ରକାର ସହାୟତା ଲାଗି ପୂର୍ବତଟ ରେଳପଥ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ଭୁବନେଶ୍ୱର ପାଇଁ ୮୧୧୪୩୮୨୩୭୧, ଖୋର୍ଦ୍ଧା ରୋଡ୍‌ ପାଇଁ – ୯୬୬୮୯୭୮୭୨୭, ବ୍ରହ୍ମପୁର-୯୬୬୮୯୭୮୭୨୫ ଏବଂ ପଲାସା ପାଇଁ -୯୬୬୮୯୭୮୭୨୪ ନମ୍ବରରେ ଯୋଗାଯୋଗ କରାଯାଇପାରିବ ।

Leave A Reply

Your email address will not be published.