ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁଙ୍କ ସମୀକ୍ଷା
- ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରଦର୍ଶନୀ ଲୋକାଭିମୁଖୀ ହୋଇଛି : ସଞ୍ଜୟ ଜାଜୁ
- ମଡିଆ ସେଂଟର ଷ୍ଟଲ ବୁଲି ସାମ୍ବାଦିକମାନଙ୍କ ସହ କଥା ହେଲେ ସଚିବ
- ମହାକୁମ୍ଭକୁ ଡିଜିଟାଲ କରିବା କ୍ଷେତ୍ରରେ ପ୍ରସାର ଭାରତୀର ଆୟୋଜନକୁ ସଚିବଙ୍କ ପ୍ରଶଂସା
ନୂଆଦିଲ୍ଲୀ, (ପିଆଇବି) : ମହାକୁମ୍ଭ ମେଳାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସ୍ଥିତି ସମୀକ୍ଷା କରିଛନ୍ତି । ମଲଟି ମିଡିଆ ହଲରେ ଜନ ଭାଗିଦାରୀରୁ ଜନ କଲ୍ୟାଣ ଉପରେ କରାଯାଇଥିବା ପ୍ରଦର୍ଶନୀର ସମୀକ୍ଷା କରାଯାଇଛି । ଗତ ଦଶ ବର୍ଷର ବିଭିନ୍ନ ସରକାରୀ ଯୋଜନା, ସଫଳତା, କାର୍ଯ୍ୟକ୍ରମ ଉପରେ ମହାକୁମ୍ଭର ତ୍ରିବେଣୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ସଚିବ ବୁଲି ଦେଖିଛନ୍ତି । ପ୍ରଦର୍ଶନୀକୁ ଏକ ନିଆରା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହା ଲୋକାଭିମୁଖୀ ହୋଇଥିବା ସଚିବ କହିଛନ୍ତି । କାନ୍ଥ, ଏଲ୍ଇଡି କାନ୍ଥ, ହୋଲୋଗ୍ରାଫିକ ସିଲିଣ୍ଡର ପରି ବିଭିନ୍ନ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ସେ କହିଛନ୍ତି । ମହାକୁମ୍ଭରେ ପଡିଥିବା ମିଡିଆ ସେଂଟରକୁ ଯାଇ ବିଭିନ୍ନ ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସମୀକ୍ଷା କରିଛନ୍ତି । ସେଠାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି । ମହାକୁମ୍ଭ ମେଳା ଅଂଚଳର ସେକ୍ଟର-୪ରେ ଅବସ୍ଥାପିତ ଦୂରଦର୍ଶନ ଓ ଆକାଶବାଣୀର ଅସ୍ଥାୟୀ କେନ୍ଦ୍ରକୁ ଯାଇ ଶ୍ରୀ ଜାଜୁ ସ୍ଥିତିର ସମୀକ୍ଷା କରିଛନ୍ତି । ରେଡିଓ, ଟେଲିଭିଜନ, ମୋବାଇଲ ଓ ଅନ୍ୟ ମାଧ୍ୟମ ଯୋଗେ ମହାକୁମ୍ଭର ଟିକିନିଖି ଖବର ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଉଥିବା ସରକାରୀ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି । ପ୍ରସାର ଭାରତୀ ପକ୍ଷରୁ ବହୁମୁଖୀ କ୍ୟାମେରା ବ୍ୟବସ୍ଥାର ଆୟୋଜନ କରାଯାଇଥିବା ବେଳେ ଏଠାରୁ ସିଧା ପ୍ରସାରଣ ପାଇଁ ବି ଉଦ୍ୟମ କରାଯାଉଥିବା ସେ କହିଛନ୍ତି । କୁମ୍ଭବାଣୀ ରେଡିଓ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ପାଖରେ ଖବର ପହଂଚା ଯାଉଥିବା ସେ ଉଲ୍ଲେଖ କରିଛନ୍ତି । ଏଫ୍ଏମ୍ ସେବା ପ୍ରସାରଣ ଫଳରେ ସାଧାରଣ ଜନତାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଓ ଭକ୍ତ ଉପକୃତ ହେଉଥିବା କୁହାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ବିଭାଗୀୟ ସଚିବ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି । ଦୀର୍ଘ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭକୁ ସଫଳ କରିବା ପାଇଁ ସମସ୍ତେ ପ୍ରୟାସ କରୁଥିବା ବିଭାଗୀୟ ସଚିବ କହିଛନ୍ତି । ମହାକୁମ୍ଭକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଲି ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଥିବା କୁହାଯାଇଛି । ଆମ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବା ପାଇଁ ମହାକୁମ୍ଭ ମେଳାର ଯଥେଷ୍ଟ ଭୂମିକା ରହିଥିବା ସଚିବ ସଞ୍ଜୟ ଜାଜୁ ମତପ୍ରକାଶ କରିଛନ୍ତି । ପରେ ପ୍ରକାଶନୀ ସଂସ୍ଥା ଷ୍ଟଲ ଗସ୍ତ କରି ସଚିବ ସଞ୍ଜୟ ଜାଜୁ ନିଜ ପିଲାଦିନ କଥା ମନେ ପକାଇ ବିହ୍ୱଳିତ ହୋଇଥିଲେ । ଷ୍ଟଲରେ ବାଲ ଭାରତୀ ପତ୍ରିକା ଦେଖି ପିଲା ଦିନର ସୁଖଦ ଅନୁଭୂତିକୁ ସଚିବ ମନେ ପକାଇ ଏହା ନିରନ୍ତର ପ୍ରକାଶ ପାଇବା ଦରକାର ବୋଲି ମତବ୍ୟକ୍ତ କରିଥିଲେ ।