ମୁମ୍ବାଇର ପ୍ରମୁଖ ଚଳଚ୍ଚିତ୍ର ଅନୁଷ୍ଠାନର ସମୀକ୍ଷା କରିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

  • କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ ଆନିମେସନର ଅଗ୍ରଗତି ସମୀକ୍ଷା କରିଛନ୍ତି
  • ଏଭିଜିସି କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ଶିଳ୍ପ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁମ୍ବାଇର ଏନ୍‌ଏଫ୍‌ଡିସି କ୍ୟାମ୍ପସ ପରିଦର୍ଶନ କରି ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଏବଂ ଭାରତୀୟ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫ୍‌ଡିସି)ର କାର୍ଯ୍ୟକଳାପର ବ୍ୟାପକ ସମୀକ୍ଷା କରିଛନ୍ତି । ଏହି ଗସ୍ତ ସମୟରେ ମନ୍ତ୍ରୀ ଗୁଲସନ ମହଲର ଐତିହ୍ୟ ଭବନ ସମେତ ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିଥିଲେ । ଏଥିରେ ନୀରବ ଯୁଗରୁ ପର୍ଯ୍ୟନ୍ତ ଭାରତୀୟ ଚଳଚ୍ଚିତ୍ରର ସମୃଦ୍ଧ ଏବଂ ବିବିଧ ଐତିହ୍ୟକୁ ପ୍ରଦର୍ଶିତ କରି ଦେଶର ସାଂସ୍କୃତିକ ଢାଞ୍ଚାରେ ସିନେମାର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରାଯାଇଛି । ସିବିଏଫ୍‌ସିର ଅଧ୍ୟକ୍ଷ ପ୍ରସୁନ ଯୋଶୀ ସାର୍ଟିଫିକେସନ୍ ପ୍ରକ୍ରିୟା ଏବଂ ସମଗ୍ର ଚଳଚ୍ଚିତ୍ର ଜଗତର ସଦ୍ୟତମ ପଦକ୍ଷେପ ବିଷୟରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ତାଙ୍କ ସମୀକ୍ଷାରେ ଚଳଚ୍ଚିତ୍ର କ୍ଷେତ୍ରରେ ନିଯୁକ୍ତିକୁ ବହୁଗୁଣିତ କରିବା ପାଇଁ ଆବଶ୍ୟକ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଉଚ୍ଚମାନର ନିଯୁକ୍ତି ସୃଷ୍ଟି କରିବା ସହ ବାଣିଜ୍ୟିକ ସ୍ତରରେ ମଧ୍ୟ ଉପଯୋଗୀ ଯୋଜନା ପ୍ରସ୍ତୁତ କରିବାକୁ ସେ ଆହ୍ୱାନ ଦେଇଥିଲେ । ଭାରତର ସିନେମା ଐତିହ୍ୟର ପୁନରୁଦ୍ଧାର ଓ ସଂରକ୍ଷଣ ଦିଗରେ ଉଦାହରଣମୂଳକ କାର୍ଯ୍ୟ ପାଇଁ ସେ ଏନ୍‌ଏଫ୍‌ଡିସି-ଏନ୍‌ଏଫ୍‌ଏଆଇ (ନ୍ୟାସନାଲ ଫିଲ୍ମ ଆର୍କାଇଭ୍ସ ଅଫ୍ ଇଣ୍ଡିଆ)କୁ ପ୍ରଶଂସା କରିଥିଲେ । ଦେଶର ସାଂସ୍କୃତିକ ଓ ଐତିହାସିକ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ଚଳଚ୍ଚିତ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେ ପ୍ରୟାସକୁ ଆହୁରି ସୁଦୃଢ଼ କରିବାକୁ ଚେଷ୍ଟା କରିଥିଲେ, ଯାହା ଦ୍ୱାରା ଭବିଷ୍ୟତ ପିଢ଼ି ଏହି ସମୃଦ୍ଧ କଳାତ୍ମକ ଐତିହ୍ୟକୁ ଉପଭୋଗ କରିପାରିବେ ଏବଂ ଶିଖିପାରିବେ । ଏଭିଜିସି କ୍ଷେତ୍ରରେ ଜାତୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ଦିଗରେ ନିଆଯାଉଥିବା କାର୍ଯ୍ୟକଳାପରେ ସମ୍ପୂର୍ଣ୍ଣ ଶିଳ୍ପ ଅଭିମୁଖୀକରଣର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଶ୍ରୀ ବୈଷ୍ଣବ ନ୍ୟାସନାଲ ସେଣ୍ଟର ଅଫ୍ ଏକ୍ସଲେନ୍ସ ଇନ୍ ଆନିମେସନର ଅଗ୍ରଗତିର ସମୀକ୍ଷା କରିବା ସହ ଭାରତୀୟ ମନୋରଞ୍ଜନ ଶିଳ୍ପରେ ବଢୁଥିବା କ୍ଷେତ୍ର ଭାବରେ ଆନିମେସନ ଏବଂ ଭିଜୁଆଲ ଇଫେକ୍ଟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପଶ୍ଚିମାଞ୍ଚଳ ମହାନିର୍ଦ୍ଦେଶକ ଶ୍ରୀମତୀ ସ୍ମିତା ଭଟ୍ଟ ଶର୍ମା, ପରିଚାଳନା ନିର୍ଦ୍ଦେଶକ (ଏନ୍ଏଫ୍‌ଡିସି) ପୃଥୁଲ କୁମାର, ସିଇଓ (ସିବିଏଫ୍‌ସି) ରାଜେନ୍ଦ୍ର ସିଂହ ଏବଂ ଏନ୍ଏଫ୍‌ଡିସି ଓ ସିବିଏଫ୍‌ସିର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଗସ୍ତ ଅବସରରେ ମନ୍ତ୍ରୀ ‘ଏକ ପେଡ୍ ମା କେ ନାମ’ କାର୍ଯ୍ୟକ୍ରମ ଅଧୀନରେ ଏନ୍ଏଫ୍‌ଡିସି ପରିସରରେ ବୃକ୍ଷରୋପଣ କରିଥିଲେ ।

Leave A Reply

Your email address will not be published.