jayashree

ଓଡିଶାର ରାଜ୍ୟପାଳ ରଘୁବର ଦାଶଙ୍କ ଗଞ୍ଜାମ ଜିଲ୍ଲାର ମହିଳା ସଶକ୍ତିକରଣ ଏବଂ ପିଲାଙ୍କ ପୃଷ୍ଟିକର ଖାଦ୍ୟର ଅନୁସନ୍ଧାନ ସହ ସରକାରଙ୍କ ବିଭିନ୍ନ ଯୋଜନାର ସମୀକ୍ଷା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶାର ରାଜ୍ୟପାଳ ରଘୁବର ଦାଶ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଗୁରୁବାର ଯୋଗଦେଇ ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ରାଜ୍ୟପାଳ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ଵବନ୍ଦନୀୟା ମା’ ତାରତାରୀଣୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଛନ୍ତି । ଦେବୀଙ୍କଠାରେ ପୂଜାର୍ଚ୍ଚନା କରି ବିଭୂକୃପା ଲାଭ କରିଛନ୍ତି । ପ୍ରସିଦ୍ଧ ତନ୍ତ୍ରପୀଠର ମହତ୍ତ୍ୱ ସମ୍ପର୍କରେ ଅବଗତ ହୋଇ ରାଜ୍ୟପାଳ ମା’ ତାରାତାରିଣୀଙ୍କ ଆଶିଷ ଲାଭ କରି ମହାମହିମ ରାଜ୍ୟପାଳ ଶ୍ରୀ ଦାଶ ଓଡିଶାବାସୀଙ୍କ ମଙ୍ଗଳ କାମନା କରିଥିଲେ । ତାରାତାରିଣୀ ପାହାଡ ପାଦଦେଶରେ ଉପସ୍ଥିତ ମହିଳାମାନଙ୍କୁ ଦେଖି ରାଜ୍ୟପାଳ ଅଟକି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନା ଓ ଖାଦ୍ୟ ସୁରକ୍ଷା ଯୋଜନାରୁ ଯେଉଁମାନଙ୍କୁ ବଞ୍ଚିତ କରାଯାଇଛି ସେହି ମହିଳାମାନେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେଠାରୁ ରାଜ୍ୟପାଳ ବାହାରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ଅଞ୍ଚଳ ଗସ୍ତ କରିଥିଲେ । ହୁମ୍ମା ସ୍ଥିତ ଅଙ୍ଗନୱାଡି କେନ୍ଦ୍ରକୁ ଯାଇ ଅଙ୍ଗନାୱାଡି ପିଲାମାନଙ୍କୁ ଦିଆଯାଉଥିବା ପୃଷ୍ଟିକର ଖାଦ୍ୟ, ଛତୁଆ ଆଦିର ମାନ ନିର୍ଦ୍ଧାରଣ ଓ ସର୍ଭେକ୍ଷଣ କରିଥିଲେ । ପିଲାମାନଙ୍କ ପୋଷଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷ କରି ମହିଳା ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ସେଠାରୁ ସେ ଡିମିରା ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଆବାସ ଯୋଜନାରେ ମିଳିଥିବା ହିତାଧିକାରୀ ତଥା ଲାଭାର୍ଥୀମାନଙ୍କ ସହ ସାକ୍ଷାତ କରିଥିଲେ ଏବଂ ସରକାରୀ ବିଦ୍ୟାଳୟକୁ ଯାଇ ସେ ଆଲୋଚନା କରିଥିଲେ । ପରେ ଛତ୍ରପୁର ବ୍ଳକ ଚମାଖଣ୍ଡିଠାରେ ଗ୍ରାମୀଣ ରୁରାଲ ପାର୍କରେ ଥିବା ସେଣ୍ଟ୍ରାଲ ଫୁଡ୍ ପ୍ରୋସେସିଂ ୟୁନିଟ୍ ପରିଦର୍ଶନ କରିଥିଲେ । ସେଠାରେ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ ସହ ସେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲ । ଛତ୍ରପୁର ସ୍ଥିତ ଚମାଖଣ୍ଡିଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ କହିଥିଲେ ଯେ’ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀମାନେ ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି । ନାରୀ ଶକ୍ତି ସାମାଜିକ ଜୀବନରେ ବଡ ଶକ୍ତି । ସେ ଆହୁରି କହିଥିଲେ ଯେ’ ଭାରତରେ ୮୦ ଲକ୍ଷ ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀର ୧୦ କୋଟି ମହିଳା ଏବେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଓଡିଶାରେ ୪୯ ପ୍ରତିଶତ ପିଲା ସ୍କୁଲ ପାଠ ଛାଡିଛନ୍ତି । ଏମାନଙ୍କୁ କିଭଳି ସ୍କୁଲକୁ ଫେରାଇ ଆଣିବା ସେନେଇ କେବଳ ଓଡିଶା ସରକାରଙ୍କ ଚିନ୍ତା ନୁହେଁ ଆମ ସମସ୍ତଙ୍କର ଚିନ୍ତା ଏବଂ ଏହାର ଦାୟିତ୍ୱ ଓ କର୍ତ୍ତବ୍ୟ ଆମର ବୋଲି ରାଜ୍ୟପାଳ କହିଥିଲେ । ଗଞ୍ଜାମ ଜିଲ୍ଲାରେ କିଭଳି ସ୍କୁଲ ଡ୍ରପ ଆଉଟ ଶୂନ ହେବ ସେନେଇ କାର୍ଯ୍ୟ କରିବାକୁ ପଡିବ । ଏଥିଲାଗି ସପ୍ତାହରେ ଦିନେ ଗାଁ ଓ ସ୍କୁଲ ଯିବା ଅଭିଯାନ ପାଇଁ ସେ ଉପସ୍ଥିତଙ୍କୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ପ୍ରମୁଖ ମଞ୍ଚାସିନ ଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନବର୍ଗର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ ।

Leave A Reply

Your email address will not be published.