ନରସିଂହଙ୍କ ପୌର ପରିଷଦ ସମୀକ୍ଷା

  • ବଲାଙ୍ଗିର ପୌରାଞ୍ଚଳରେ ଜାଗ ମିଶନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବିଫଳ – ନରସିଂହ
  • ମହାରାଣୀ ସାଗର ଓ ଲକ୍ଷ୍ମୀଯୋର ଅଂଚଳର ଭୂମିହୀନଙ୍କୁ ଶୀଘ୍ର ଜମିପଟ୍ଟା ପ୍ରଦାନ କର – ନରସିଂହ
  • ପୌର ପରିଷଦର ସମସ୍ତ କାର୍ଯ୍ୟରେ ଦୁର୍ନୀତି ଜଳ ଜଳ ଦିଶୁଛି – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସର୍କିଟ୍‌ ହାଉସଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବଲାଙ୍ଗିର ମ୍ୟୁନିସିପାଲିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ର ମ୍ୟୁନିସିପାଲିଟିର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ’ ତିନିବର୍ଷରୁ ଅଧିକ ହେବ ବଲାଙ୍ଗିର ପୌରାଞ୍ଚଳରେ ରହୁଥିବା ଭୂମିହୀନ ଗରିବଙ୍କୁ ଜାଗା ମିଶନ ମାଧ୍ୟମରେ ଜମି ଅଧିକାର ପତ୍ର ପ୍ରଦାନ କରାଯାଇଥିଲା କିନ୍ତୁ ଦୁଃଖର କଥା ଜମି ଅଧିକାର ପତ୍ର ପାଇବା ସତ୍ୱେ ମଧ୍ୟ ସହରାଞ୍ଚଳର ଅନେକ ଲୋକ ଆଜି ପର୍ଯ୍ୟନ୍ତ ଜମି କିମ୍ବା ବାସଗୃହ ପାଇ ନାହାନ୍ତି । ପଚାରିଲେ ଅଧିକାରୀ କହୁଛନ୍ତି ସର୍ଭେ ଚାଲିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ନା ସରକାରଙ୍କ ନା ସ୍ଥାନୀୟ ପୌର ପରିଷଦଙ୍କ ଗରିବଙ୍କୁ ଜାଗା ଓ ଘର ଦେବାରେ ଅନ୍ତରିକତା ଅଛି । କେତେବେଳେ ସର୍ଭେ କରିବା ବାହାନାରେ ତ କେତେବେଳେ ଅନ୍ୟ ବିଭାଗକୁ ଦୋଷ ଦେଇ ସମୟ ଗଡାଇ ଚାଲିଛନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାରଙ୍କ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ଜାଗା ମିଶନ କାର୍ଯ୍ୟକ୍ରମ ପୌର ପରିଷଦର ଉଦାସିନତା ଯୋଗୁଁ ବଲାଙ୍ଗିରରେ ସମ୍ପୂର୍ଣ୍ଣ ଫେଲ ମାରିଛି ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସଠାରେ ବଲାଙ୍ଗିର ପୌର ପରିଷଦ କାର୍ଯ୍ୟର ସମୀକ୍ଷା ବୈଠକରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଶ୍ରୀ ମିଶ୍ର ଏହି ସମୀକ୍ଷା ବୈଠକରେ ଆହୁରି ମଧ୍ୟ କହିଛନ୍ତି ଯେ ମୁକ୍ତା ଯୋଜନା ଅଧିନରେ ସହରସାରା ନିର୍ମାଣ ହୋଇଥିବା ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥାରେ ଘୋର ଦୁର୍ନୀତି ହୋଇଛି । କୋଟି କୋଟି ଟଙ୍କାର ଏହି ଜଳ ସଂରକ୍ଷଣ ବ୍ୟବସ୍ଥା ଯେଉଁ ଜାଗାରେ ବି ନିର୍ମାଣ ହୋଇଛି ଆଜି ଯଦି ସେ ସବୁକୁ ଖୋଜାଯାଏ କୌଣସି ଜାଗାରେ ବି ତାର ଚିହ୍ନବର୍ଣ୍ଣ ମିଳିବ ନାହିଁ । ଠିକ୍‌ ସେହିପରି ହୋଡିଂ ଦୁର୍ନୀତି, ମଶାତେଳ ଦୁର୍ନୀତି, ପାଣିଛତ୍ର ଦୁର୍ନୀତି, ଖେଳାସ୍ଥାନ ସୌନ୍ଦର୍ଯ୍ୟିକରଣ ଦୁର୍ନୀତିରେ ବଲାଙ୍ଗିର ପୌର ପରିଷଦ ତଳରୁ ଉପର ଯାଏ ବୁଡି ସାରିଲେଣି । ଏ ସବୁକୁ ନେଇ ବିଧାୟକ ଶ୍ରୀ ମିଶ୍ର ପଚାରିଥିବା ପ୍ରଶ୍ନରେ ଜଣେ ବି ଅଧିକାରୀ ସଠିକ୍‌ ଉତ୍ତର ଦେବା ଦେଖାଯାଇ ନ ଥିଲା । ମହାରାଣୀ ସାଗର, ଲକ୍ଷ୍ମୀଯୋର ଅଂଚଳରେ ବିଧାୟକ ଶ୍ରୀ ମିଶ୍ର ତାଙ୍କ ବିଧାନସଭା ମଣ୍ଡଳୀସ୍ତରୀୟ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବେଳେ ସେଠାରେ ଗରିବ ଲୋକମାନଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ଉପରେ ପୌର ପରିଷଦ ତରଫରୁ କଣ ପଦକ୍ଷେପ ନିଆଯାଇଛି ପଚାରିବାରୁ ଏ ସମ୍ବନ୍ଧରେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଲେଖାଯାଇଛି ବୋଲି ଉପସ୍ଥିତ ଥିବା ପୌର ଅଧିକାରୀ ଉତ୍ତର ରଖିଥିଲେ । ପୌର ପରିଷଦର ଅପାରଗତା ଯୋଗୁଁ ଲକ୍ଷ୍ମୀଯୋରରେ ମଇଳା ପାଣି ଓ ବର୍ଜ୍ୟବସ୍ତୁ ପଡୁଛି । ସେ ସବୁ ଯେମିତି ନ ପଡିବ ଏବଂ ନିୟମିତ ଭାବରେ ଲକ୍ଷ୍ମୀଯୋର ସହ ସହରର ମଧ୍ୟରେ ଥିବା ଡ୍ରେନ ଗୁଡିକ ସଫା କରାଯିବ ସେ ଉପରେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ କରାଯାଉ ବୋଲି ଶ୍ରୀ ମିଶ୍ର କହିଥିଲେ । ମହାରାଣୀ ସାଗରକୁ ଆସିଥିବା ଅନୁଦାନ ଅମୃତ ଯୋଜନାରୁ କିପରି ଭାବରେ ପୁଣି ମୋ ପୋଖରୀ ଯୋଜନାକୁ ଆସିଲା ତାର ସବିଶେଷ ବିବରଣୀ ମାଗିବା ସହ ଯୋଜନା ଚୋରିକୁ ଲୁଚାଇବା ପାଇଁ ଚିଠିପତ୍ରରେ ଚଞ୍ଚକତା କରାଯାଇଥିବାର ପ୍ରମାଣ ମିଳୁଛି ବୋଲି ବିଧାୟକ ଶ୍ରୀ ମିଶ୍ର ବିଭାଗ ତରଫରୁ ସେଠାରେ ଦେଖାଯାଇଥିବା ଚିଠି ଗୁଡିକ ଦେଖି କ୍ଷୋଭ ପ୍ରକାଶ କରିଥିଲେ । ଏହା ସହ ପୌର ପରିଷଦ ତରଫରୁ ଗରିବ ଲୋକ ପାଉଥିବା ବିଭିନ୍ନ ଯୋଜନାରେ ଯେମିତି କୌଣସି ଦୁର୍ନୀତି ନ ହେବ ସେ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି ବୈଠକରେ ବିଧାୟକଙ୍କ ପ୍ରତିନିଧି ଅଜୟ ବାଲି, ପୌର ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ଅନ୍ୟାନ୍ୟ ପୌର ଯନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.