ଜଳ ସମ୍ପଦ ମନ୍ତ୍ରୀଙ୍କ ବିଭାଗୀୟ ଖର୍ଚ୍ଚ ସମୀକ୍ଷା

  • ଧାର୍ଯ୍ୟଲକ୍ଷ୍ୟ ଅନୁସାରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଖର୍ଚ୍ଚ ସମୀକ୍ଷା କରିଥିବା ଜଣାପଡିଛି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ବିଭାଗୀୟ ଅଧିକାରୀ ତଥା ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସୋମବାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜଳ ସମ୍ପଦ ବିଭାଗରେ ବିଭିନ୍ନ ପ୍ରକଳ୍ପ ପାଇଁ ଥିବା ବ୍ୟୟ ବରାଦ ଓ ଅଦ୍ୟାବଧି ପ୍ରକଳ୍ପର ଅଗ୍ରଗତି ଏବଂ ହୋଇଥିବା ଖର୍ଚ୍ଚ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସେ ରାଜ୍ୟ ଜଳ ସମ୍ପଦ ବିଭାଗରେ ‘ଛାତ’ (କମ୍ୟୁନିଟି ହାରନେସିଂ ଆଣ୍ଡ ହାରଭେଷ୍ଟିଂ ରେନ୍‌ ୱାଟର ଆର୍ଟିଫିସିଆଲି ଫ୍ରମ୍‌ ଟେରେସ୍‌ ଟୁ ଆକ୍ୟୁଇଫର) ଯୋଜନା ଅନ୍ତର୍ଗତ ଏକ ୱେବ୍‌ ପୋର୍ଟାଲ୍‌କୁ ଉନ୍ମୋଚନ କରିଥିଲେ ।

ଆଗରୁ ଇଚ୍ଛୁକ ଘର ମାଲିକମାନେ ଛାତ ଯୋଜନାରେ ବର୍ଷା ଜଳ ସଂରକ୍ଷଣ ପାଇଁ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ କାଗଜାତ ଦର୍ଶାଇବାକୁ ପଡୁଥିବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ବିଳମ୍ବିତ ହେଉଥିଲା । ଏହି ୱେବ୍‌ ପୋର୍ଟାଲ ଆରମ୍ଭ ହେବା ଫଳରେ ଏଣିକି ପ୍ରକଳ୍ପର କାର୍ଯ୍ୟକାରିତା ସହଜ ହୋଇପାରିବ । ବୈଷୟିକ ଜ୍ଞାନକୌଶଳର ପ୍ରୟୋଗରେ ଏହି ୱେବ୍‌ ପୋର୍ଟାଲ ଆରମ୍ଭ ବିଭାଗର ଅନ୍ୟତମ ସଫଳ ପ୍ରୟାସ ବୋଲି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ବର୍ଗ ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ଭୂତଳ ଜଳର ପୁନଃ ଭରଣ ପାଇଁ ଉଦ୍ଦିଷ୍ଟ ଏହି ବ୍ୟବସ୍ଥାରେ ଛାତ ଉପରେ ବର୍ଷା ଜଳ ଅମଳ ପ୍ରକଳ୍ପର ପ୍ରତ୍ୟେକ ଉପାଦାନରେ ହୋଇଥିବା ପ୍ରକୃତ ଖର୍ଚ୍ଚକୁ ହିସାବକୁ ନିଆଯାଇ ମୋଟ ଖର୍ଚ୍ଚ ମୂଲ୍ୟାୟନ କରାଯିବା ଓ ଏହାର ଶତକଡା ୫୦ ଭାଗ ବା ସର୍ବାଧିକ ୫୫,୦୦୦ ଟଙ୍କା ପର୍ଯ୍ୟନ୍ତ ସରକାରୀ ରିହାତି ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯିବାର ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.