ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବଲାଙ୍ଗିର ଗସ୍ତରେ ଆସି ପୂର୍ବାହ୍ନରେ ସ୍ଥାନୀୟ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ସଭା ଗୃହଠାରେ ବଲାଙ୍ଗିର ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ସରକାରୀ ଉପ ମୁଖ୍ୟ ସଚେତକ ତଥା ପାଟଣାଗଡ ବିଧାୟକ ସରୋଜ କୁମାର ମେହେର, ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଳ ରାଣା, ଡିଏଫ୍‌ଓ ନିତୀଶ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ରାଣା ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସିଂ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଜରିଆରେ ୨୦୨୨ -୨୩ ଆର୍ଥିକ ବର୍ଷରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ, ରୋଜଗାର ସୃଷ୍ଟି, ଶ୍ରମ ଦିବସ ତଥା ବିନିଯୋଗ ହୋଇଥିବା ଅର୍ଥ, ଜିଲ୍ଲାର ୬ ଗୋଟି ଦାଦନ ପ୍ରବଣ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଗ୍ରାମୀଣ ଆବାସ, ପାନୀୟ ଜଳ ଯୋଗାଣ ଅନ୍ତର୍ଗତ ପାଇପ ଜଳ ଯୋଗାଣ, ମେଗା ପାଇପ ଜଳ ଯୋଗାଣ କାର୍ଯ୍ୟର ଅଗ୍ରଗତି, ଓର୍‌ମାସ, ମିଶନ ଶକ୍ତି ଏବଂ ଓଡିଶା ଜୀବିକା ମିଶନ ଜରିଆରେ କାର୍ଯ୍ୟକାରୀ ହେଉଥିବା ଆୟ ସୃଷ୍ଠିକାରୀ ଯୋଜନା, ମିଶନ ଶକ୍ତି ଜରିଆରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଂଯୋଗୀକରଣ, ମିଶନ ଶକ୍ତି ଗୃହ ନିର୍ମାଣ ଓ ଅଙ୍ଗନୱାଡି ଗୃହ ନିର୍ମାଣର ଅଗ୍ରଗତି, ୫ଟି ରୂପାନ୍ତରଣ ବିଦ୍ୟାଳୟ ଗୁଡିକର କାର୍ଯ୍ୟ, ସ୍ଵଚ୍ଛ ଭାରତ ମିଶନ, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଆଦିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ବୈଠକରେ ଡିଏଫ୍‌ଓ ନିତୀଶ କୁମାର ବଲାଙ୍ଗିର ଜଙ୍ଗଲ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କରେ ପାୱାର ପଏଣ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ମନରେଗା ଯୋଜନା ଜରିଆରେ କରାଯାଉଥିବା ଚାରା ରୋପଣ, ୨୦୨୨ -୨୩ ଆର୍ଥିକ ବର୍ଷରେ ଚାରା ରୋପଣର ଲକ୍ଷ୍ୟ ଓ ଅଗ୍ରଗତି, ବନୀକରଣ ସକାଶେ ଗ୍ରହଣ କରାଯାଉଥିବା ଅଭିନବ ବୈଷୟିକ ଜ୍ଞାନ କୌଶଳ, ଆମ ଜଙ୍ଗଲ ଯୋଜନାର କାର୍ଯ୍ୟକାରିତା, ନଗର ବନ ଓ ନଗର ବାଟିକାର ବିକାଶ, ଆମ ଜଙ୍ଗଲ ଯୋଜନା ଜରିଆରେ ବନ ସୁରକ୍ଷା ସମିତି ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆୟ ସୃଷ୍ଠିକାରୀ ଯୋଜନା, ଭିତ୍ତିଭୂମିର ବିକାଶ, ଇକୋ – ପର୍ଯ୍ୟଟନର ବିକାଶ ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଜିଲ୍ଲାପାଳ ଶ୍ରୀ ରାଣା ଧନ୍ୟବାଦ ଅର୍ପଣ କରିଥିଲେ । ସମୀକ୍ଷା ବୈଠକ ପୂର୍ବରୁ ଜିଲ୍ଲା ପଂଚାୟତ ସାଧନ କେନ୍ଦ୍ର ପରିସରରେ ଓରମାସ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ବିଭାଗ ଜରିଆରେ ଗଠିତ ଉତ୍ପାଦକ ଗୋଷ୍ଠୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ଉତ୍ପାଦକ କମ୍ପାନୀ ଦ୍ଵାରା ପ୍ରଦର୍ଶିତ କୃଷି ତଥା ଅଣ କୃଷି ସାମଗ୍ରୀର ପ୍ରଦର୍ଶନୀ ଷ୍ଟଲକୁ ମନ୍ତ୍ରୀ ଶ୍ରୀ ଅମାତ ପରିଦର୍ଶନ କରି ଆୟୋଜକଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.

error: Content is protected !!