ସଚିବଙ୍କ ସୁନ୍ଦରଗଡ ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସୁନ୍ଦରଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ. ପାଣ୍ଡିଆନ୍, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ଆର. ଭିଲିନ୍‌କ୍ରିଷ୍ଣା ଗତକାଲି ସୁନ୍ଦରଗଡ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଏହି ସଚିବ ସ୍ତରୀୟ ପ୍ରତିନିଧି ଦଳ କୁନ୍ଦୁକେଲାସ୍ଥିତ ୩୩/୧୧ କେଭି ବିଦ୍ୟୁତ ଗ୍ରୀଡ ସବ୍‌ଷ୍ଟେସନ, ଭେଡାବାହାଲ କୋଲ୍‌ କରିଡର, ଭବାନୀପୁର ଠାରେ ଆଧୁନିକ ବାଲା ମଡେଲରେ ନିର୍ମିତ ଅଙ୍ଗନବାଡୀ କେନ୍ଦ୍ର ଏବଂ କିଂଜିରିମା ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ବୁଲି ଦେଖିଥିଲେ । ଏହାସହିତ ଶିକ୍ଷା, ମହିଳା ଓ ଶିଶୁବିକାଶ, ପୋଷଣ, ଜୀବିକା, ସଂଯୋଗୀକରଣ, ପାନୀୟ ଜଳ, କୃଷି ଓ ଜଳସେଚନ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରିଥିଲେ ।

କୋଭିଡ ମହାମାରୀର ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ଲାଗି ସ୍ୱାସ୍ଥ୍ୟ ଭିତ୍ତିଭୂମିର ପ୍ରସ୍ତୁତି ଏବଂ ବିଶେଷ କରି ଶିଶୁମାନଙ୍କ ଚିକିତ୍ସା ଲାଗି ଆଇସିୟୁ ତଥା ଆବଶ୍ୟକୀୟ ବ୍ୟବସ୍ଥା ସଂପର୍କରେ ସୁନ୍ଦରଗଡସ୍ଥିତ ଏନ୍‌ଟିପିସି କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ। ଏତଦ୍‌ବ୍ୟତୀତ ଜିଲ୍ଲାରେ କ୍ରୀଡା ଭିତ୍ତିଭୂମି ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ରାଜ୍ୟ ସରକାରଙ୍କର ୫-ଟି କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତର କାମ ଅକ୍ଟୋବର ସୁଦ୍ଧା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ୫୦ଟି ହାଇସ୍କୁଲ ମଧ୍ୟରୁ ଏହି ସଚିବସ୍ତରୀୟ ଦଳ କିଞିରିମା ସରକାରୀ ହାଇସ୍କୁଲ ବୁଲି ଦେଖିଥିଲେ । ସେମାନେ ସ୍ମାର୍ଟ କ୍ଲାସରେ ବସି ଷ୍ଟୁଡିଓରେ ଥିବା ଶିକ୍ଷୟତ୍ରୀ ଏବଂ ଅନ୍ୟ ଏକ କକ୍ଷରେ ବସି ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ କଥାବାର୍ତ୍ତା କରିଥିଲେ ।

ସୁନ୍ଦରଗଡ ସଦରର ଭବାନୀପୁରରେ ବାଲା ମଡେଲରେ ନିର୍ମିତ ଆଧୁନିକ ଅଙ୍ଗନବାଡୀ କେନ୍ଦ୍ର ମଧ୍ୟ ସେମାନେ ପରିଦର୍ଶନ କରିଥିଲେ । ଛୋଟ ଛୋଟ ପିଲାଙ୍କ ଶିକ୍ଷାକୁ ଆନନ୍ଦମୟ କରିବାପାଇଁ ବାଲା ମଡେଲରେ ସଂପୂର୍ଣ୍ଣ ନୂଆ ଢାଞ୍ଚାରେ ଅଙ୍ଗନବାଡୀ କେନ୍ଦ୍ର ତିଆରି କରାଯାଇଛି । ଏହାର ଆସବାପତ୍ର ଓ କାନ୍ଥବାଡ ଠାରୁ ଆରମ୍ଭ କରି ସଂପୂର୍ଣ୍ଣ ପରିବେଶ ପିଲାଙ୍କ ଶିକ୍ଷା ପାଇଁ ଆକର୍ଷଣୀୟ କରାଯାଇଛି । ସୁନ୍ଦରଗଡ ଜିଲ୍ଲାରେ ଥିବା ସମସ୍ତ ଅଙ୍ଗନବାଡୀ କେନ୍ଦ୍ର ସହିତ ନୂଆ ଅଙ୍ଗନବାଡୀ କେନ୍ଦ୍ର ଗୁଡିକୁ ଏହି ବାଲା ମଡେଲରେ ନିର୍ମାଣ କରାଯାଉଛି ।

Leave A Reply

Your email address will not be published.