ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗନ୍ଧରେଲ ରାଧାରମଣ ମନ୍ଦିର ପରିସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିର ପକ୍ଷରୁ ଅନୁଷ୍ଠାନର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇସାରିଛି । ବିଶିଷ୍ଟ କୋଶଲି ସଂଗଠକ ଶରତ ଚନ୍ଦ୍ର ହୋତାଙ୍କ ପୌରହିତ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ମୁଖପତ୍ର ମୁହୁରିର ଅପାର ସଫଳତା ପରେ ଏହି ବୈଠକର ଗୁରୁତ୍ୱ ସହଜେ ଅନୁମେୟ ଥିଲା । ସଂଗଠନର ସଚିବ ମଧୁସୂଦନ ଦାସ ଓ କବି ସୁଶାନ୍ତ ବାଗଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ତଥା ଟ୍ରଷ୍ଟି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁଙ୍କ ବାଦାନ୍ୟତା ଓ ମାର୍ଗଦର୍ଶନ ପାଇଁ ସଦସ୍ୟମାନଙ୍କ ତରଫରୁ ସାମୁୁହିକ କୃତଜ୍ଞତା ଓ ଧନ୍ୟବାଦ ଦିଆଯାଇଥିଲା । କାର୍ଯ୍ୟକାରୀ କମିଟି ତରଫରୁ କବି ସୁଜିତ କୁମାର ଶତପଥୀ, ତପସ୍ୱିନୀ ପଶାୟତ, ନିର୍ମାଲ୍ୟ ସ୍ୱାଇଁ ଓ ଅଭିଜିତ ଫରିକାର ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଆଗକୁ କିପରି କୋଶଲି ଭାଷାର ପ୍ରଚାର ପ୍ରସାର ହେବ, ନୁଆଁଖାଇ ଓ ପୁସପୁନିକୁ ନେଇ କୋଶଲି ଭାଷାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯିବ ସେ ବିଷୟରେ ବି ଆଲୋଚନା ହୋଇଥିଲା । ସରକାରୀ ସ୍ତରରେ କିଭଳି ଆମ ଭାଷାକୁ ମାନ୍ୟତା ମିଳିବ ସେ ବିଷୟରେ ମଧ୍ୟ ଗଭୀର ଦୃଷ୍ଟିପାତ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ଟ୍ରଷ୍ଟ ସଦସ୍ୟ ସର୍ବଶ୍ରୀ କିଶୋର ଚନ୍ଦ୍ର ପୁରୋହିତ, ରଘୁନାଥ ବାବୁ, ବିରେନ୍ଦ୍ର କୁମାର ବନଛୋର, ମଧୁସୁଦନ ଦାଶ, ଆଶୁତୋଷ ମିଶ୍ର, କବି ସୁଶାନ୍ତ ବାଗ, ପୁସ୍ତମ ଜୁଆଡି, ଶ୍ରୀପାଳ ପଣ୍ଡା ପ୍ରମୁଖ ଯୋଗ ଦେଇ ତୃଣମୂଳ ସ୍ତରରୁ କୋଶଲି ଭାଷାର ବିକାଶ ତଥା ପରିଷଦର ମୁଖପତ୍ର ‘ମୁହୁରି’ ର କୋଶଳାଂଚଳର ସବୁ ଅଂଚଳରେ ପହଞ୍ଚାଇବାର ପ୍ରୟାସ ଉପରେ ଗୁରୁତ୍ୱ ଦେଇଥିଲେ ।
