‘ନୂଆ ଓ’ ଓଡିଆ ଭାଷା ସାହିତ୍ୟ ସମ୍ମିଳନୀ ଉଦ୍‌ଯାପିତ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂଆ ଓ’ ଯୋଜନା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଓଡିଆ ଭାଷା ସାହିତ୍ୟ ସମ୍ମିଳନୀ ଓ ପ୍ରତିଯୋଗିତା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ବଳଭଦ୍ର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ପାଟଣାଗଡ ଉପଖଣ୍ଡ ପୋଲିସ ଡିଏସ୍‌ପି ଜ୍ୟୋର୍ତିମୟ ଭୁକ୍ତା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଦ୍ୱାରା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ୱର ବିକାଶ ହେବା ସହିତ ଦକ୍ଷତା ବୃଦ୍ଧି ହୋଇଥାଏ । ଏଥିସହିତ ଭବିଷ୍ୟତ ଜୀବନରେ ଦୁଃଖ କଷ୍ଟ ସହିବାକୁ ଏଥିରୁ ଶକ୍ତି ଓ ସାହସ ମିଳିଥାଏ ବୋଲି ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉତ୍ସବରେ ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ମେହେର ସମ୍ମାନିତ ଅତିଥି, ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସତ୍ୟନାରାୟଣ ମଟାରୀ ମୁଖ୍ୟବକ୍ତା ଏବଂ ବିଶିଷ୍ଟ ପାଲା ଗାୟକ ଅକ୍ଷୟ ବାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବହ୍ନି ବେହେରା, ଆଶାରାଣୀ ସାହୁ, ତମନ୍ନା ପଧାନ, ମେହେକ ବାରିକ, ଜ୍ୟୋର୍ତିମୟୀ ସେଲମା, ସ୍ୱାଗତିକା ବାରିକ ଅତିଥିମାନଙ୍କୁ ଫୁଲ ଚନ୍ଦନ ପ୍ରଦାନ କରିଥିଲେ । ନୋଡାଲ ଅଫିସର ତଥା ଓଡିଆ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଏବଂ ଜଗନ୍ନାଥ ସଂସ୍କୃତିକୁ ନେଇ ହୋଇଥିବା ବକୃତା, କବିତା ଲିଖନ, କବିତା ଆବୃତି, ନୃତ୍ୟ, ସଂଗୀତ, ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । କଳା, ସଂସ୍କୃତି ତଥା ପୁରାଣର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେଛୋବାହାଲ ଗ୍ରାମର ପାଲା ଗାୟକ ଅକ୍ଷୟ ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାପରେ ଅକ୍ଷୟ ବାଗ ଏବଂ ତାଙ୍କ ସାଥୀମାନଙ୍କ ଦ୍ୱାରା ଶିକ୍ଷା ଓ ସଂସ୍କାର ବିଷୟ ଉପରେ ଆଧାରିତ ପାଲା ପରିବେଷଣ କରାଯାଇଥିଲା ବେଳେ ଏହାକୁ ଛାତ୍ରଛାତ୍ରୀମାନେ ଉପଭୋଗ କରିଥିଲେ । ଅଧ୍ୟାପିକା ସୁନନ୍ଦା ଭୋଇ, ଅଧ୍ୟାପିକା ମିନା ସାହୁ, ଶାରିରୀକ ଶିକ୍ଷା ଶିକ୍ଷକ ହରେଶ କୁମାର ବେହେରା, ସହକାରୀ ଗ୍ରନ୍ଥାଗାରିକ ଦିଲିପ ନିଆଲ, ଜନାର୍ଦ୍ଦନ ସୁନା, ଡିଇଓ ନନ୍ଦକିଶୋର ବାଗ, ବାଳକୃଷ୍ଣ ପୁଞ୍ଜି, ଗୁଣମଣି ସାହୁ, ଅର୍ଜୁନ ହାତୀ, ଗୌରୀ ହଂସ ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଧ୍ୟାପିକା ମଧୁସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.