jayashree

କଂଟାବାଂଜି ସବ୍‌ ଜେଲର ଓ ୱେବ୍‌ ସାମ୍ବାଦିକଙ୍କ ଭିଡିଓ ଭାଇରାଲ ଘଟଣା : ସାମ୍ବାଦିକ ସଂଘ କଂଟାବାଂଜିର ଖବରଦାତା ସମ୍ମିଳନୀ

• ୨ ମାସ ପୂର୍ବରୁ ସଂପୃକ୍ତ ୱେବ ସାମ୍ବାଦିକ ସଂଘରୁ ବହିଷ୍କୃତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ସାମ୍ବାଦିକ ସଂଘ ତରଫରୁ ବୁଧବାର ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ପି.ଡବ୍ଲୁ.ଡି. ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । କଂଟାବାଂଜି ସବ୍‌ ଜେଲର ବିକାଶଲତା ବାରୁ ଏବଂ ଜଣେ ୱେବ୍‌ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ଭିଡିଓ ଭାଇରାଲକୁ ନେଇ ଏହି ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସଂପୃକ୍ତ ସବ୍‌ ଜେଲର ବାରୁ ଏବଂ ସାମ୍ବାଦିକ ପ୍ରମୋଦ କୁମାର ବେହେରାଙ୍କ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲ ମଧ୍ୟରେ ଜିନ୍ଦା କିମ୍ବା ମୁର୍ଦ୍ଦା ମୁଣ୍ଡ ଆଣିବା ପାଇଁ ସଂପୃକ୍ତ ସାମ୍ବାଦିକଙ୍କୁ କହୁଥିବା ବେଳେ ସାମ୍ବାଦିକ ଜଣକ ୨ ଲକ୍ଷ ଟଙ୍କା ଦାବୀ କରୁଥିବା ଭାଇରାଲ ହୋଇଥିଲା । ଏପରିକି ସାମ୍ବାଦିକ ଶ୍ରୀ ବେହେରା ସାମ୍ବାଦିକ ସଂଘର ଜଣେ ସଦସ୍ୟ ବୋଲି ନିଜକୁ ପରିଚୟ ଦେଉଥିବା ବେଳର ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ସାମ୍ବାଦିକ ସଂଘ ଖଣ୍ଡନ କରିବା ସହିତ ସଂଘ ତରଫରୁ ନିନ୍ଦା ପ୍ରସ୍ତାବ ଆଗତ ହୋଇଛି ।

ବୁଧବାର ଦିନ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ଗୁରୁଦୟାଲ ହଂସଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ଏହି ବୈଠକରେ ପୂର୍ବରୁ ସଦସ୍ୟ ଥିବା ପ୍ରମୋଦ ବେହେରାଙ୍କ ସାମ୍ବାଦିକତାରେ ଅନୈତିକ କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା । ଗତ ଜୁଲାଇ ମାସ ତା.୭/୬/୨୦୨୩ରେ ସଂପୃକ୍ତ ସାମ୍ବାଦିକ ଶ୍ରୀ ବେହେରା ଅନ୍ୟ ସାମ୍ବାଦିକଙ୍କ ନାମରେ କଂଟାବାଂଜିର ଜଂଗଲ ବିଭାଗ ଫରେଷ୍ଟର ବିଘ୍ନ ରାଜ ପୋଢଙ୍କଠାରୁ କୋଡିଏ ହଜାର ଟଙ୍କା ଦାବୀ କରିଥିଲେ । ଏହି ଘଟଣାକୁ ନେଇ ବିଘ୍ନରାଜ ପୋଢ ଥାନାରେ ଏତଲା ଦେଲା ପରେ ଘଟଣାଟି ସଂଘର ନଜରକୁ ଆସିଥିଲା । ସଂଘ ଏହି ଘଟଣାକୁ ନେଇ ଛାନ୍‌ବିନ୍‌ କରିବା ମଧ୍ୟରେ ଗତ ତା.୯/୬/୨୦୨୩ରେ ପ୍ରମୋଦ ବେହେରା ସଂଘକୁ ନିଜର ସଦସ୍ୟତା ରଦ୍ଧ କରିବା ପାଇଁ ଲିଖିତ ଦେଇଥିଲେ । ଏହି ଲିଖିତ ଉପରେ ସଂଘ ୧୦/୬/୨୦୨୩ରେ ଏକ ଜରୁରୀ ବୈଠକ କରି ତାଙ୍କୁ ସଦସ୍ୟତାରୁ ବାହାର କରିଦେଇଥିଲେ । ଏହା ପରେ କଂଟାବାଂଜି ଜେଲର ଓ ସାମ୍ବାଦିକଙ୍କ ମଧ୍ୟରେ ହୋଇଥିବା ଭିଡିଓ ଭାଇରାଲରେ ମୁଣ୍ଡ ଜାମିନ ଏବଂ ଦୁଇ ଲକ୍ଷ ଟଙ୍କା ଦାବୀକୁ ନେଇ ସଂଘ ଜରୁରୀ ବୈଠକ କରି ପ୍ରମୋଦ ବେହେରା ସଂଘର ସଦସ୍ୟ ନାହାନ୍ତି ବୋଲି ଖବରଦାତା ସମ୍ମିଳନୀର ସୂଚନା ଦେଇଛି । ଏହି ଖବରଦାତା ସମ୍ମିଳନୀରେ ସଂଘର ସଭ୍ୟ ଜୀବନାନନ୍ଦ ମହାନ୍ତି, ଆଇନ ପରାମର୍ଶଦାତା ସଂଜୟ କୁମାର ନାଥ, ଅଶୋକ ନାରାୟଣ ଭୋଇ, ଅନ୍ତିମ ପାଣିଗ୍ରାହୀ, ମୋହନ ସୋନି, କୃତିକର ବାଗ, କୁଶଲ ସିଂ ଠାକୁର, ବିନୋଦ ସିଂ, କୈଲାଶ ସଗ୍ରିଆ, ପୁଷ୍ପକେତୁ ବେହେରା ସହ ଅନ୍ୟ ଖବରଦାତା ଉପସ୍ଥିତ ଥିଲେ । ଭିଡିଓ ଭାଇରାଲ ଉପରେ ସଂପୃକ୍ତ ଦୋଷୀମାନଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରି ସଂଘ ଆଇ.ଜି., ଡି.ଆଇ.ଜି., ଏସ୍‌.ପି. ବଲାଙ୍ଗିର, ଏସ.ଡି.ପି.ଓ. କଂଟାବାଂଜି, ଥାନା ଆଇ.ଆଇ.ସି. କଂଟାବାଂଜିଙ୍କୁ ଲିଖିତ ଜଣାଇବା ପାଇଁ ନିଷ୍ପତି ନେଇଛି ।

Leave A Reply

Your email address will not be published.