କଂଟାବାଂଜି ଜିଲ୍ଲା ପ୍ରସଙ୍ଗ : ଜିଲ୍ଲା ସଂଘର୍ଷ ସମିତିର ଖବରଦାତା ସମ୍ମିଳନୀ

  • ପ୍ରତି ପଂଚାୟତରୁ ହେବ ଆନ୍ଦୋଳନ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜିକୁ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରି ବୁଧବାର ଦିନ ଜିଲ୍ଲା ସଂଘର୍ଷ ସମିତି ସ୍ଥାନୀୟ ହେମାଲ ଭବନରେ ଏକ ଖବରଦାତା ସମ୍ମିଳନୀ କରିଥିଲା । ଏହି ଖବରଦାତା ସମ୍ମିଳନୀରେ କଂଟାବାଂଜି ଜିଲ୍ଲା ଦାବୀ ଉପରେ ଆଲୋଚନା କରାଯାଇ କଂଟାବାଂଜିର ଭିତ୍ତିଭୂମି ହିଁ ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜସ୍ୱ ମନ୍ତ୍ରୀଙ୍କଠାରେ ଉପସ୍ଥାପନ କରିଛନ୍ତି । କଂଟାବାଂଜି ଜିଲ୍ଲା ଦାବୀ ଉପରେ ମନ୍ତ୍ରୀ ମଲ୍ଲିକ କଂଟାବାଂଜି ସହ ଅନ୍ୟ ୩ଟି ଜିଲ୍ଲା ଦାବୀ ଉପରେ ସରକାରଙ୍କ ଅବଗତ ବୋଲି ସୂଚନା ଦେଇଥିଲେ । ଦୀର୍ଘ ଦିନରୁ କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନ୍‌.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ୩ଟି ବ୍ଲକକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଦାବୀ କରିଛି ଜିଲ୍ଲା ସଂଘର୍ଷ ସମିତି । ଏହି ଦାବୀକୁ ଯୁକ୍ତିଯୁକ୍ତ ମନେ କରି ଅଂଚଳର ଶତାଧିକ ଅନୁଷ୍ଠାନ, ସାମାଜିକ କର୍ମୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ମାସ ମାସ ଧରି ଆନ୍ଦୋଳନରେ ସାମିଲ ଥିଲେ । କଂଟାବାଂଜି ନିର୍ବାଚନ ମଣ୍ଡଳୀର ତୁରେକେଲା, ବଙ୍ଗୋମୁଣ୍ଡା, ମୁରିବାହାଲ ଅଂଚଳ ଅଣଜଳସେଚିତ, କଳକାରଖାନା ବିହୀନ ଫଳରେ ଚାରି ଦଶନ୍ଧି ଧରି ଏ ଅଂଚଳର ଲୋକେ କାମଧନ୍ଧା ପାଇଁ ଅନ୍ୟ ରାଜ୍ୟକୁ ଦାଦନ ଖଟିଯାଉଛନ୍ତି ଯାହା କଂଟାବାଂଜି ଦାଦନ ରାଜଧାନୀ ଭାବେ ଦେଶ ବିଦେଶର ମାନଚିତ୍ରରେ ପରିଚିତ । ପୁଣି ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ଅଂଚଳର ଲୋକେ ଅନାହାର, ଅର୍ଦ୍ଧାହାର, ଛୁଆବିକ୍ରି ପାଇଁ ବିଶ୍ୱରେ ନିଜର ପରିଚୟ ଦେଇଛି । କଂଟାବାଂଜି ଅଂଚଳର ତୁରେକେଲା ଏକ ମାଓପ୍ରବଣ ଅଂଚଳର ହୋଇଥିବା ବେଳେ ଉପାନ୍ତ କନ୍ଦେଇ, ମହଖଣ୍ଡ, ହଲନଭଟା, ବଡବାଙ୍କି, ବଡଡକଲା, ଢୋଲମାନ୍ଦଲ ପଂଚାୟତର ଗାଁଗୁଡିକ ଉପାନ୍ତ ଅଂଚଳର ଜଂଗଲ ତଥା ପାହାଡ ପର୍ବତ ଘେରା ଏପରିକି ପଡୋଶୀ ନୂଆପଡା ଜିଲ୍ଲାର ସୀମାବର୍ତି । ସମସ୍ତ ସୀମାବର୍ତି ଗାଁ ଜିଲ୍ଲା ସଦର ମହକୁମାକୁ ୧୨୦ କି.ମି. ଦୂରତା ମଧ୍ୟରେ ଥିବା ବେଳେ ଉପଖଣ୍ଡ କାର୍ଯ୍ୟାଳୟ ଟିଟିଲାଗଡକୁ ୮୦କି.ମି.ରୁ ମଧ୍ୟ ଅଧିକ ସେହିପରି ବଙ୍ଗୋମୁଣ୍ଡା ବ୍ଲକର ଜାମଖୁଂଟା, ଗନ୍ଧର୍ଲା, ତୁରେକେଲା ପଂଚାୟତର ଗାଁ ଗୁଡିକ ମଧ୍ୟ ପଡୋଶୀ ନୂଆପଡା ଜିଲ୍ଲାର ସୀମାବର୍ତି ହୋଇଥିବା ବେଳେ ଜିଲ୍ଲା ସଦର ମହକୁମାରୁ ୧୫୦ କି.ମି. ଏବଂ ଉପଖଣ୍ଡ କାର୍ଯ୍ୟାଳୟକୁ ୭୦କି.ମି. ଦୂରତା । କଂଟାବାଂଜି ନିର୍ବାଚନ ମଣ୍ଡଳୀର କଂଟାବାଂଜି ଏନ୍‌.ଏ.ସି, ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ଜନସଂଖ୍ୟା ମିଶି ଅନ୍ୟ ଛୋଟ ଜିଲ୍ଲାଠାରୁ ଅଧିକ ହୋଇଥିବା ବେଳେ ସରକାରଙ୍କ ବିଭିନ୍ନ ରାଜସ୍ୱରେ ମଧ୍ୟ ଢେର ଅଧିକ । ଜିଲ୍ଲା ଗଠନ ପାଇଁ ଆବଶ୍ୟକ ସମସ୍ତ ଭିତ୍ତିଭୂମୀ ଥିବା ବେଳେ ହରିଜନ, ଆଦିବାସୀ ଏବଂ ପଛୁଆବର୍ଗ ଜନସଂଖ୍ୟା ବହୁଳ ଅଂଚଳ ଭାରତ ସ୍ୱାଧୀନ ହେବାର ୭୫ବର୍ଷ ପରେ ମଧ୍ୟ ଅବହେଳିତ ହୋଇଛି । କଂଟାବାଂଜି ଜିଲ୍ଲା ହିଁ ଅଂଚଳର ବିକାଶ ଦାବୀ କରି ଜିଲ୍ଲା ସଂଘର୍ଷ ସମିତିର ଖବରଦାତା ସମ୍ମିଳନୀରେ ସଭାପତି ଶେଷଦେବ ପୁଟେଲ, କାର୍ଯ୍ୟକାରୀ ସଭାପତି ବ୍ରଜଶ୍ୟାମ ଗୁରୁ, ସଂପାଦକ ଦୁଃଖିଶ୍ୟାମ ଗୁରୁ ପ୍ରକାଶ କରିଛନ୍ତି । ଏପରିକି ଆଗାମୀ ଦିନରେ କଂଟାବାଂଜି ନିର୍ବାଚନ ମଣ୍ଡଳୀର ପ୍ରତି ପଂଚାୟତରୁ ଶାନ୍ତି ଶୃଙ୍ଖଳାର ସହ ଜିଲ୍ଲା ଦାବୀ ଆନ୍ଦୋଳନ କରାଯିବ ବୋଲି ମତ ଦେଇଛନ୍ତି । ଏହି ଖବରଦାତା ସମ୍ମିଳନୀରେ ସମସ୍ତ ଇଲେକ୍କ୍ରୋନିକ୍ସ ଓ ଛାପା ଗଣମାଧ୍ୟମର ସମସ୍ତ ଖବରଦାତା ସହ ବିଦେଶୀ ବେହେରା, ସହଦେବ ନାଗ, ପ୍ରେମ ବାଗ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.