ବଲାଙ୍ଗିର, (କେପିଏନ୍ଏସ୍) : ଆସନ୍ତା ଡିସେମ୍ବର ୨୧ ଓ ୨୨ ତାରିଖରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ବଲାଙ୍ଗିର – କଳାହାଣ୍ଡି – ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆ ଠାରେ ୨ ଦିନିଆ “ଗୋପାଳନ ସମ୍ମିଳନୀ -୨୦୨୨” ଆୟୋଜିତ ହେବ । ଏ ସମ୍ପର୍କରେ ଆଜି ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନ, ବଲାଙ୍ଗିର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ସବିଶେଷ ସୂଚନା ଦେଇଛନ୍ତି । ଏମିତି ଏକ ଗୋପାଳନ ସମ୍ମିଳନୀର ଆୟୋଜନ ସମଗ୍ର ରାଜ୍ୟରେ ପ୍ରଥମ । ଗୋପାଳନ କ୍ଷେତ୍ରରେ ସ୍ଥାୟୀ ଜୀବିକା ଓ ଉଦ୍ୟୋଗୀକରଣ ବିକାଶ ଦ୍ୱାରା ରୋଜଗାର ସୃଷ୍ଟି କରିବା ସହିତ ଗୋପାଳନ ନିମନ୍ତେ ପ୍ରୋତ୍ସାହନ ପାଇଁ ଏକ ନକ୍ସା ପ୍ରସ୍ତୁତ କରିବାର ଉଦ୍ଦେଶ୍ୟ ନିମନ୍ତେ ଆୟୋଜିତ ହେଉଥିବା ଏହି ନିଆରା ସମ୍ମିଳନୀ ଗୋପାଳନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ଭାବେ ପରିଗଣିତ ହେବ । ସାରା ଦେଶରୁ ବିଭିନ୍ନ ସରକାରୀ ବିଭାଗ ଓ ଜାତୀୟ ସ୍ତରୀୟ ସଂସ୍ଥା ଯଥା ଜାତୀୟ ଗୋପାଳନ ବିକାଶ ପରିଷଦ(ଏନ.ଡି.ଡି.ବି), ଜାତୀୟ ଗୋପାଳନ ଗବେଷଣା ପ୍ରତିଷ୍ଠାନ(ଏନ.ଡି.ଆର.ଆଇ), ଭାରତୀୟ ପ୍ରାଣୀଧନ ଗବେଷଣା ପ୍ରତିଷ୍ଠାନ(ଆଇ.ଭି.ଆର.ଆଇ), କେନ୍ଦ୍ରୀୟ ପ୍ରାଣୀଧନ ପ୍ରଜନନ ଫାର୍ମ(ସି.ସି.ବି.ଏଫ୍), ଏପିକଲ୍, ଭାରତୀୟ କୃଷି ଗବେଷଣା ପରିଷଦ(ଆଇ.ସି.ଏ.ଆର), ସି.ଡି.ଏସ୍.ଆଇ, ଜାତୀୟ ଦକ୍ଷତା ବିକାଶ ପରିଷଦ(ଏନ.ଏସ.ଡି.ସି) ଆଦିର ପ୍ରତିନିଧି ମାନେ ଏହି ସମ୍ମିଳନୀରେ ଯୋଗଦେବେ । ଏହା ସହିତ ରାଜ୍ୟର ବିଭିନ୍ନ ଦୁଗ୍ଧ ସଂଘ, ଦୁଗ୍ଧ ସମବାୟ ସମିତି, ସଫଳ ଦୁଗ୍ଧ ଚାଷୀଙ୍କ ସହିତ ପ୍ରାୟ ୨ ହଜାର ଲୋକ ସମ୍ମିଳନୀରେ ଯୋଗ ଦେବା ନିମନ୍ତେ ପ୍ରୟାସ କରାଯାଇଛି । ସରକାରୀ ଯୋଜନା ଏବଂ ଆଧୁନିକ ବୈଷୟିକ ଜ୍ଞାନକୌଶଳ ଦ୍ଵାରା କିଭଳି ଗୋପାଳନର ବିକାଶ କରାଯିବ ତାହା ସମ୍ମିଳନୀରେ ଆଲୋଚନା କରାଯିବ । ଏଥି ସହିତ ଗୋପାଳନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ସଫଳ ବ୍ୟବହାର କରିଥିବା ବିଭିନ୍ନ ସଂସ୍ଥା ମାନଙ୍କ ଦ୍ୱାରା ଏକ ପ୍ରଦର୍ଶନୀର ଆୟୋଜନ କରାଯିବ । ରାଜ୍ୟର ସଫଳ ଗୋପାଳନ ଉଦ୍ୟୋଗୀମାନେ ନିଜର ମୂଲ୍ୟବାନ ଅନୁଭୂତି ବାଣ୍ଟିବା ସହ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ତରୀୟ କୁଇଜ ପ୍ରତିଯୋଗିତା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆୟୋଜିତ ହେବ । ସିଧାସଳଖ ଆଲୋଚନା ଭିତ୍ତିକ ବୌଦ୍ଧିକ ପ୍ରେରଣା ପ୍ରଦାନକାରୀ କାର୍ଯ୍ୟକ୍ରମ, ସମବାୟ ପରିଚାଳନା, ସରକାରୀ ଯୋଜନା ଏବଂ ଏହି କ୍ଷେତ୍ରରେ ବିଭିନ୍ନ ପ୍ରୟାସ, ବୈଷୟିକ ଜ୍ଞାନ କୌଶଳର ବିକାଶ ଓ ଉଦ୍ଭାବନ ବିଷୟରେ ଜଣାଇବା ସହ ଏହି କ୍ଷେତ୍ରରେ ଉନ୍ନତ ତଥା ବିଭିନ୍ନ ଉତ୍ପାଦନ ପାଇଁ ଏକ କୁଶଳୀ ବ୍ୟବସ୍ଥାର ବିକାଶ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର – କଳାହାଣ୍ଡି – ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘର ସଭାପତି ସୀମାରାଣୀ ପଟେଲ, ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ଡ଼ ସନ୍ତୋଷ କୁମାର ପଣ୍ଡା, ବଲାଙ୍ଗିର – କଳାହାଣ୍ଡି – ନୂଆପଡା ଆଞ୍ଚଳିକ ଦୁଗ୍ଧ ସଂଘର ସାଧାରଣ ପରିଚାଳକ ଡ଼ ସରୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post