oom

ସମ୍ବିଧାନ ଦିବସ ପାଳିତ

jsmm

ଭୁବନେଶ୍ଵର, (ପିଆଇବି) : ଭାରତୀୟ ସମ୍ବିଧାନ ବିଶ୍ଵର ଏକ ସ୍ଵତନ୍ତ୍ର ସମ୍ବିଧାନ, ଏହାକୁ ଉଚିତ ସମ୍ମାନ ଦେବା ଏବଂ ଭଲ ଭାବେ ବୁଝିବା ପ୍ରତ୍ୟେକ ଭାରତୀୟଙ୍କ କର୍ତ୍ତବ୍ୟ । ଭୁବନେଶ୍ଵର ସ୍ଥିତ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ଏବଂ ଉତ୍କଳ ବିଶ୍ଵବିଦ୍ୟାଳୟ ସାମାଜିକ ବିଜ୍ଞାନ ବିଭାଗର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ସମ୍ବିଧାନ ଦିବସ ପାଳନ ଅବସରରେ ଏଭଳି ମତବ୍ୟକ୍ତ କରିଛନ୍ତି ବିଶେଷଜ୍ଞ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଞ୍ଚଳିକ ଜନ ସମ୍ପର୍କ କାର୍ୟ୍ୟାଳୟର ନିର୍ଦେଶକ ଅଖିଳ କୁମାର ମିଶ୍ର ମନୁଷ୍ୟ ଜୀବନର ବିଭିନ୍ନ ଗୁରୁତ୍ୱପୂର୍ଣ୍ତ ପର୍ଯ୍ୟାୟ ଉପରେ ଆଲୋକପାତ କରିବା ସହ ଛାତ୍ରଛାତ୍ରୀ ମାନେ ଆମ ସମ୍ବିଧାନକୁ ଯଥେଷ୍ଟ ସମ୍ମାନ ଦେବା ସହ ଏହାକୁ ସଠିକ ଭାବେ ପାଳନ କରିବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଡ.ଜିତେନ୍ଦ୍ର ନାରୟଣ ଦାଶ ଭାରତୀୟ ସମ୍ବିଧାନ ଆମ ଜୀବନ ଶୈଳୀକୁ ନିୟନ୍ତ୍ରଣ କରେ ଏବଂ ପ୍ରତ୍ୟେକ ଭାରତୀୟ ସମ୍ବିଧାନ ଦିବସକୁ ସ୍ଵାଧୀନତା ଦିବସ ଏବଂ ଗଣତନ୍ତ୍ର ଦିବସଠାରୁ ମଧ୍ୟ ଅଧିକ ଗୁରୁତ୍ୱ ଦେଇ ପାଳନ କରିବା ଉଚିତ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । ପ୍ରତ୍ୟେକ ଛାତ୍ର ଛାତ୍ରୀ ନିଜ ଜୀବନକୁ ସମାଜର ବିକାଶରେ ଯୋଡିବା ପାଇଁ ସେ ଅନୁପ୍ରାଣିତ ମଧ୍ୟ କରିଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟର ସାମାଜିକ ବିଭାଗର ପ୍ରାଧ୍ୟାପିକା ଡ଼. ନବନିତା ରଥ ସମ୍ବିଧାନର ପ୍ରଣୟନ, ଆଭିମୁଖ୍ୟ, ଉଦ୍ଦେଶ୍ୟ ଏବଂ ଗୁରୁତ୍ୱ ଉପରେ ଆଲୋକପାତ କରିଥିବା ବେଳେ ସାମାଜିକ ବିଜ୍ଞାନ ବିଭାଗର ମୁଖ୍ୟ ଡ଼.ରବୀନ୍ଦ୍ର ଗରଡ଼ା ସମ୍ବିଧାନ ପ୍ରଣୟନ ହେବା ଦ୍ୱାରା ପ୍ରତ୍ୟେକ ଭାରତୀୟ ନିଜ ଅଧିକାର ପାଇ ପାରିଛନ୍ତି ଏବଂ ଯୁବପିଢି ସ୍ଵାଧୀନତା, ସମାନତା ଏବଂ ଭାଇଚାରାର ମହତ୍ୱ ବିଷୟରେ ବୁଝିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଭାରତୀୟ ସମ୍ବିଧାନ ସମ୍ପର୍କରେ କୁଇଜ଼ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ କାର୍ଯ୍ୟାଳୟର ବିଭାଗୀୟ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ସହକାରୀ ପ୍ରାଧ୍ୟାପିକା ଡ.ତନୟା ମହାନ୍ତି ସ୍ଵାଗତ ଭାଷଣ ଦଦବା ସହ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.