ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ୭୨ତମ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ସୁଧାଂଶୁବାଳା ତ୍ରିପାଠୀ, ଶିକ୍ଷକ-ପ୍ରଶିକ୍ଷିକା ଓ ଡ. ସୁଧୀର ସାହୁ, ଶିକ୍ଷକ-ପ୍ରଶିକ୍ଷକ ଡକ୍ଟର ବି. ଆର୍‌. ଆମ୍ବେଦକରଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅଧ୍ୟକ୍ଷ ଶ୍ରୀ ମଲ୍ଲିକ ରାଷ୍ଟ୍ର ନିୟନ୍ତ୍ରଣର ଚାବିକାଠି ସମ୍ବିଧାନ ବୋଲି କହିବା ସହ ସାମାଜିକ ତଥା ରାଜନୈତିକ ଶୃଙ୍ଖଳାର ସ୍ରୋତକୁ ନିର୍ଦ୍ଦିଷ୍ଟ ଏବଂ ନିର୍ଦ୍ଧାରିତ ଦିଗରେ ଆଗେଇ ନେବାରେ ସମ୍ବିଧାନ ନିର୍ଣ୍ଣାୟକ ଭୂମିକା ବହନ କରେ ବୋଲି କହିଥିଲେ । ଡ. ତ୍ରିପାଠୀ ନିଜ ବକ୍ତବ୍ୟରେ ସମ୍ବିଧାନ ଏପରି ଏକ ବ୍ୟବସ୍ଥା ବା ବିଧି ଯାହା ଅଧିନରେ ରାଷ୍ଟ୍ର ତିଷ୍ଠି ଥାଏ ବୋଲି କହିଥିଲେ । ନିର୍ଦ୍ଧିଷ୍ଟ ନୀତି ନିୟମ ବ୍ୟତୀତ କୌଣସି ରାଷ୍ଟ୍ର ସୁସଂଗଠିତ ହୋଇପାରେ ନାହିଁ । ଏଣୁ ସମ୍ବିଧାନର ଗୁରୁତ୍ୱ ସର୍ବାଧିକ ଏବଂ ସର୍ବଜନବିଦିତ ବୋଲି କହିଥିଲେ । ଡ. ସାହୁ ନିଜ ବକ୍ତବ୍ୟରେ ସମ୍ବିଧାନ ଆମକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରର ମର୍ଯ୍ୟାଦା ଦେଇଛି ବୋଲି କହିଥିଲେ । ଏହି ଅବସରରେ ଡ. ତ୍ରିପାଠୀ ସମ୍ବିଧାନର ମୁଖବନ୍ଧ ପ୍ରସ୍ତାବନା ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗ୍ରନ୍ଥାଗାରକ ଶାନ୍ତନୁ ସାହୁ, ସହକାରୀ ଶିକ୍ଷକ ଗୋପାଳ ପଧାନ, ସରୋଜ ବେହେରା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.