jayashree

ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ତରଫରୁ ବୁଦ୍ଧିଜୀବୀ ସମ୍ମେଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସର ପରେ ନିଜ ଶରୀର ଓ ସଂଚିତ ଅର୍ଥକୁ ସୁରକ୍ଷିତ ରଖିଲେ ଅବଶିଷ୍ଟ ଜୀବନ ନିରାମୟ ଓ ସୁଖମୟ ହୋଇପାରିବ ” ବୋଲି ରାଉରକେଲା ଅବସରପ୍ରାପ୍ତ ପୋଲିସ ଅଫିସର୍ସ କଲ୍ୟାଣ ଆସୋସିଏସନ୍‌ ତରଫରୁ ଆୟୋଜିତ ବୁଦ୍ଧିଜୀବୀ ସମ୍ମେଳନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ଅର୍ଥନୈତିଜ୍ଞ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ ପ୍ରକାଶ କରିଥିଲେ । ରାଉରକେଲା କଳିଙ୍ଗବିହାରର ଉମାଶଙ୍କର ପୀଠର ସମ୍ମେଳନ କକ୍ଷରେ ଆୟୋଜିତ ହୋଇଥିବା ଏହି ବୁଦ୍ଧିଜୀବୀ ସମ୍ମେଳନରେ ପ୍ରଫେସର ତ୍ରିପାଠୀ ଅବସର ପରେ ନିଜ ନିଜର ସ୍ୱାସ୍ଥ୍ୟର ଯତ୍ନ ରଖିବା ସହ ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ହିସାବରେ ଇସ୍ପାତ ସାହିତ୍ୟ ସଂସଦର ସଂପାଦକ ବିଶିଷ୍ଟ କବି ନୃସିଂହଚରଣ ବିଶ୍ୱାଳ ସମାଜରେ ବରିଷ୍ଠ ନାଗରିକମାନଙ୍କ ସହ ଘଟୁଥିବା ଘଟଣାକୁ କବିତା ମାଧ୍ୟମରେ ପ୍ରକାଶ କରି ଏକ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ଅବସର ପରେ ନିଜର ସଂଚିତ ଅର୍ଥକୁ ସୁଚିନ୍ତିତ ଉପାୟରେ ସୁବିନିଯୋଗ କରିବା ପାଇଁ କୋଟକ ମହିନ୍ଦ୍ରା ଲାଇଫ ଇନ୍ସୁରାନ୍ସ କମ୍ପାନୀର ଶାଖା ପରିଚାଳକ ଅମୀୟ ମଲ୍ଲିକ ବିସ୍ତୃତ ଆଲୋଚନା କରିଥିଲେ । ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତ ସଭା ପରିଚାଳନା କରିବା ସହ ଆସୋସିଏସନ୍‌ର ଆଭିମୁଖ୍ୟ, ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା କରି ରାଉରକେଲାକୁ ଗୌରାବାନ୍ୱିତ କରୁଥିବା ହକି ବିଶ୍ୱକପ ସମୟରେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ । ଆସୋସିଏସନ୍‌ର ସଭାପତି ବିଶ୍ୱମୋହନ ପଟ୍ଟନାୟକ ସଭାରେ ସଭାପତିତ୍ୱ କରି ସମସ୍ତଙ୍କୁ ନୂଆବର୍ଷର ଶୁଭକାମନା ଜଣାଇଥିଲେ । ଉପସଭାପତି ରଞ୍ଜିତ କୁମାର ଭୋଇ ଆସୋସିଏସନ୍‌ର ପଞ୍ଜିକରଣ କରି ଏକ ନିଜସ୍ୱ ଅଫିସ ଗୃହ ପାଇଁ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କୀର୍ତ୍ତନ ଚରଣ ସାମଲ, ବାବାଜୀ ଚରଣ ବେହେରା, ପିତାମ୍ବର ପଣ୍ଡା, ଗୋଲଖ ଚନ୍ଦ୍ର ସେନାପତି, ନାରାୟଣ ଦଳାଇ, ପିତାମ୍ବର କୁଅଁର, ଭରତ ରାଉତ, ମଦନ ମୋହନ ନାୟକ, ପ୍ରମୋଦ କୁମାର ବେହେରା, ଶରତ ଚନ୍ଦ୍ର ରାଉତରାୟ, ଅଭୟ କୁମାର ଦାସ, ବସନ୍ତ ଜେନା, ବେଣୁଧର ମଲ୍ଲ, ରବିନାରାୟଣ ଜେନା, ରାଜକିଶୋର ଜେନା ଓ ଅନ୍ୟମାନେ ଯୋଗ ଦେଇ ସମାଜର ଉନ୍ନତି କଳ୍ପେ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବାକୁ ମତ ପ୍ରକାଶ କରିଥିଲେ । ଶେଷରେ ଶ୍ରୀନିବାସ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.