ନୂଆଦିଲ୍ଲୀ ଠାରେ ଜଳ ମହୋତ୍ସବରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ବର୍ଦ୍ଧିତ ହେଲେ ସୁଲେକେଲା ସରପଞ୍ଚ ଶ୍ୟାମ ସୁନ୍ଦର ଚିରାଗୁନ
ବେଲପଡା, (ଭୋଜରାଜ ଦଣ୍ଡସେନା) : କେନ୍ଦ୍ର ସରକାର ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟରେ ଜଳ ଜୀବନ ମିଶନ ଯୋଜନା କାର୍ଯ୍ୟକାରୀ କରି “ହରଘର ଜଳ” ମାଧ୍ୟମରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ କରାଯାଉଛି । ଜଳ ଜୀବନ ମିଶନ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରିତା ଓ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ ସୁଲେକେଲା ପଞ୍ଚାୟତର ସରପଞ୍ଚ ଶ୍ୟାମସୁନ୍ଦର ଚିରାଗୁନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି । କେନ୍ଦ୍ର ପାନୀୟ ଜଳ ଓ ପରିମଳ ବିଭାଗ ତରଫରୁ ନୂଆଦିଲ୍ଲୀର ବିଜ୍ଞାନ ଭବନର ପ୍ଲିନାରୀ ହଲ ଠାରେ ଗାଁର ଉତ୍ସବ ଦେଶର ଉତ୍ସବ “ଜଳ ମହୋତ୍ସବ” ୨୦୨୬ ଆୟୋଜିତ ହୋଇଥିଲା । ଆୟୋଜିତ ଜଳ ମହୋତ୍ସବ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଳ ମହୋତ୍ସବରେ ଜଳ ଜୀବନ ମିଶନର ସଫଳତାର ସହ ନିଜ ଗ୍ରାମ ପଂଚାୟତ ଅଞ୍ଚଳରେ ଜଳ ଜୀବନ ମିଶନ କାର୍ଯ୍ୟକାରୀ କରି ବର୍ତ୍ତମାନ ଓ ଆଗାମୀ ପିଢ଼ି ପାଇଁ “ହରଘର ଜଳ”ର ସୁଫଳ ଓ ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । ଜଳ ଜୀବନ ମିଶନର ସଫଳ କାର୍ଯ୍ୟକାରିତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ଵାରା ସୁଲେକେଲା ସରପଞ୍ଚ ସମ୍ବର୍ଦ୍ଧିତ ହୋଇଥିଲେ । ପୂର୍ବରୁ ମଧ୍ୟ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ । ସୁଲେକେଲା ପଞ୍ଚାୟତର ସରପଞ୍ଚ ନୂଆଦିଲ୍ଲୀ ଠାରେ ରାଷ୍ଟ୍ରପତିଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହେବା ପରେ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।