ଗୋଇବାହାଲି ଧନୁଯାତ୍ରା ରାଜ୍ ଦରବାରରେ ଟ୍ୱିଟର ଗାର୍ଲ ଦୀପା ବାରିକ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଗୋଇବାହାଲିର ରାଜ୍ ବୋଡାସମ୍ବର ଧନୁଯାତ୍ରା ଅବସରରେ ଶୁକ୍ରବାର ଦିନ ଆୟୋଜିତ ରାଜ୍ ଦରବାର କାର୍ଯ୍ୟକ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ “ଟ୍ୱିଟର ଗାର୍ଲ” ଭାବେ ପରିଚିତ ସୁଶ୍ରୀ ଦୀପା ବାରିକଙ୍କୁ ଭବ୍ୟ ଭାବେ ସମ୍ବର୍ଦ୍ଧନା ଜଣାଯାଇଛି । ରାଜ୍ ବୋଡାସମ୍ବର ଧନୁଯାତ୍ରା କମିଟି, ଗୋଇବାହାଲି ପକ୍ଷରୁ ରାଜ୍ ଦରବାରରେ ମହାରାଜା କଂସ ରବିନ୍ଦ୍ର ସାହୁ ସ୍ୱୟଂ ଦୀପା ବାରିକଙ୍କୁ ଉପଢୋକନ ସହ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ସମ୍ବର୍ଦ୍ଧନା ସମାଜସେବା ପ୍ରତି ତାଙ୍କର ନିଷ୍ଠା ଓ ସମର୍ପଣର ସ୍ୱୀକୃତି ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ । ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲା ଅନ୍ତର୍ଗତ ପାଇକମାଲ ବ୍ଲକର ଟେମରି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଦୀପା ବାରିକ ଏପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଜନସାଧାରଣଙ୍କ ସମସ୍ୟାର ସଫଳ ସମାଧାନ କରାଇ ସାରିଛନ୍ତି । ଗରୀବ ଓ ଅସହାୟ ଲୋକ, ପ୍ରବାସୀ ଶ୍ରମିକ, ବୃଦ୍ଧ-ବୃଦ୍ଧାଙ୍କ ସମସ୍ୟା ସହ ରାସ୍ତା, ବ୍ରିଜ୍‌ ଓ ମୌଳିକ ସୁବିଧା ସମ୍ବନ୍ଧୀୟ ଅନେକ ମୁଦ୍ଦାକୁ ସେ ସାମାଜିକ ମାଧ୍ୟମରେ ସରକାରୀ ସ୍ତରରେ ପହଞ୍ଚାଇ ସମାଧାନ କରାଇଛନ୍ତି । ସମ୍ବର୍ଦ୍ଧନା ପ୍ରଦାନ ପରେ ଦୀପା ବାରିକ ରାଜ୍ ବୋଡାସମ୍ବର ଧନୁଯାତ୍ରା କମିଟି, ଗୋଇବାହାଲିଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିବା ସହ ଏପରି ସମ୍ମାନ ତାଙ୍କୁ ଆଗାମୀ ଦିନରେ ଅଧିକ ଲୋକହିତମୂଳକ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି କହିଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସମଗ୍ର ଅଞ୍ଚଳରେ ବେଶ୍ ପ୍ରଶଂସା ଲାଭ କରିଥିବା ବେଳେ, ଦୀପା ବାରିକ ଅନେକ ଯୁବପିଢ଼ିଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହୋଇଉଠିଛନ୍ତି ।

Leave A Reply

Your email address will not be published.