jayashree

ସୁବର୍ଣ୍ଣପୁର ଜିଲ୍ଲାର ଜେଆର୍‌ସି ପରାମର୍ଶଦାତା ବ୍ଲଡ ହିରୋ ଆୱାର୍ଡରେ ସମ୍ବର୍ଦ୍ଧିତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କର ସୁପାରିଶ ତଥା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ କ୍ରମେ ଗତ ଜୁନ ୨୦୨୨ରୁ ମଇ ୨୦୨୩ ମଧ୍ୟରେ ସର୍ବାଧିକ ଥର ରକ୍ତଦାନ କରିଥିବା ପାଞ୍ଚଜଣ ଜୁନିଅର ରେଡକ୍ରସ୍ ପରାମର୍ଶଦାତାଙ୍କୁ ଇଣ୍ଡିଆନ୍‌ ରେଡକ୍ରସ୍‌ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଭୁବନେଶ୍ଵର ତରଫରୁ ରେଡକ୍ରସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଶ୍ଵ ରକ୍ତଦାତା ଦିବସ ପାଳନ ଅବସରରେ ବ୍ଲଡ୍‌ ହିରୋ ଆୱାର୍ଡ ପ୍ରଦାନ କରାଯାଇଛି । ରାଜ୍ୟ ଜୁନିୟର ରେଡକ୍ରସ ଅଫିସର ଲକ୍ଷ୍ମଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପରାମର୍ଶଦାତା ଚନ୍ଦ୍ରମଣି ବାଘ, ଚନ୍ଦ୍ରଶେଖର ମହାପାତ୍ର, ଗୋପେଶ ପଣ୍ଡା, ସନତ କୁମାର ମିଶ୍ର, ପୁଷ୍ପାଞ୍ଜଳି ନାୟକ ପ୍ରମୁଖଙ୍କୁ ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକ ମାନପତ୍ର ଓ ମୋମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ ଓ ମଞ୍ଜୁଲତା ଭୋଇ ଏବଂ ଜିଲ୍ଲା ଜୁନିୟର ରେଡକ୍ରସ ଉପାଧ୍ୟକ୍ଷ ଗତିକୃଷ୍ଣ ମିଶ୍ର ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରକାଶ ଥାଉକି ଗତ ୨୦୨୦ – ୨୦୨୧ରେ କରୋନା ମହାମାରୀର ଭୟାବହତା ସମୟରେ ରକ୍ତ ଭଣ୍ଡାରମାନଙ୍କରେ ରକ୍ତର ଘୋର ଅଭାବ ଦେଖାଦେଇଥିଲା । ଏହି ଅଭାବ ପୂରଣ କରିବାକୁ ଜୁନିୟର ରେଡକ୍ରସ୍ ତରଫରୁ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇ ଶହଶହ ନୂତନ ରକ୍ତଦାତା ସୃଷ୍ଟି କରିବା ସହିତ ହର୍ ଘର୍ ରକ୍ତଦାତା ଆହ୍ୱାନକୁ ସଫଳ କରାଯାଇଥିଲା ଏବଂ ଗତବର୍ଷ ସୁବର୍ଣ୍ଣପୁର ଜିଲ୍ଲା ୧୦୦ତମ ରକ୍ତଦାନ ଶିବିର ଆୟୋଜନ କରିବାରେ ସକ୍ଷମ ହୋଇଥିଲା । ସବୁ ଦାନରେ ସ୍ଵାର୍ଥ ଥିବା ବେଳେ ରକ୍ତଦାନରେ କୌଣସି ସ୍ୱାର୍ଥ ନଥାଏ । ତେଣୁ ଏହି ଦାନ ସବୁଠାରୁ ଶ୍ରେଷ୍ଠଦାନ ଅଟେ । ତେଣୁ ସମସ୍ତେ ନିୟମିତ ରକ୍ତଦାନ କଲେ ରକ୍ତର ଅଭାବରେ କେହି ମୃତ୍ୟୁ ବରଣ କରିବେ ନାହିଁ ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.