
କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ନିଖିଳ ଭାରତ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ନଭେମ୍ବର ୧୨ରୁ୧୪ ତାରିଖ ତିନିଦିନ ବ୍ୟାପି ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ତ୍ରିପୁରା ରାଜ୍ୟର ରାଜଧାନୀ ଅଗରତାଲା ସ୍ଥିତ ବୀର ଭଗତସିଂ ୟୁଥ ହଷ୍ଟେଲର ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଡ.ଦେବବ୍ରତ ଦେବରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରତନ ବିଶ୍ୱାସ, ନିର୍ଦ୍ଦେଶକ ସୂଚନା ସଂସ୍କୃତି ବିଭାଗ, ତ୍ରିପୁରା ସରକାର ଯୋଗ ଦେଇଥିଲେ । ଜାତୀୟ ସଂପାଦକ ଅନସାର ଉଲ ହକ ଜାତୀୟ ସମ୍ମିଳନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ସଭା ପରିଚାଳନା କରିଥିଲେ । ୨୦୧୮ ମସିହାରେ ବିରଞ୍ଚି ନାରାୟଣ ଦାଶ କଣ୍ଟାବାଞ୍ଜିର ହରିଭବନ ଠାରେ ୪୦ତମ ସର୍ବଭାରତୀୟ ଜାତୀୟ ଶିଶୁ ସାହିତ୍ୟ ସମ୍ମିଳନୀ ଦକ୍ଷତାର ସହିତ ଜଣେ ସମର୍ପିତ ସଂଗଠକ ଭାବେ ସଂପାଦନ କରିଥିବା ସହିତ ଭାଷା, ସାହିତ୍ୟ ଓ ସଂସ୍କୃତି ସକାଶେ ସଦାସର୍ବଦା ସମୟ ଦେଉଥିବାରୁ ତାଙ୍କୁ ଜାତୀୟ ସ୍ତରରେ ଶ୍ରେଷ୍ଠ ସଂଗଠକ ଭାବେ ଉପଢୌକନ, ପ୍ରମାଣପତ୍ର ଓ ସ୍ମାରକୀ ପ୍ରଦାନ କରାଯାଇଥିଲା । ଶ୍ରୀ ଦାଶ ଜଣେ ସଂଗଠକ, ସଂପାଦକ, ଆଦର୍ଶ ଶିକ୍ଷକ, ସମାଜସେବୀ, ପ୍ରକୃତିବଂଧୁ ତଥା ରକ୍ତଦାନ ଶିବିର ପରିଚାଳକ ଭାବେ ବେଶ ଜଣାଶୁଣା । ତାଙ୍କୁ ସମ୍ବର୍ଦ୍ଧନା ମିଳିଥିବାରୁ ବୁଦ୍ଧିଜୀବୀ, ସଂସ୍କୃତି ପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ପ୍ରକାଶ ଥାଉକି, ସଂସଦର ଚଳିତ ବର୍ଷ ତିନିବର୍ଷ ପାଇଁ କର୍ମକର୍ତ୍ତା ମନୋନୟନ ହୋଇଥିଲା । ଖୁସିର କଥା ଓଡ଼ିଶାର ବାଲସାହିତ୍ୟ ପୁରସ୍କାରପ୍ରାପ୍ତ ଡ.ନରେନ୍ଦ୍ର ପ୍ରସାଦ ଦାସ ସଭାପତି, ଡ.ଯୁଗଳ କିଶୋର ଷଡଙ୍ଗୀ ଉପସଭାପତି, ବିରଂଚି ନାରାୟଣ ଦାଶ ସଂଗଠକ ସଂପାଦକ, ସୁଶ୍ରୀ ସବିତା ଭୋଇ କାର୍ଯ୍ୟକାରିଣୀ ସଭ୍ୟା ଭାବରେ ମନୋନୀତ ହୋଇଥିଲେ । ଏହି ଜାତୀୟ ଅଧିବେଶନରେ ଓଡିଶାରୁ ବିରଂଚି ନାରାୟଣ ଦାଶ, ଶିଶୁ ସାହିତ୍ୟିକା ସଂଯୁକ୍ତା ପରିଚ୍ଛା, ସବିତା ଭୋଇ ପ୍ରତିନିଧିତ୍ଵ କରିଥିଲେ ।