
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡେଲାଙ୍ଗ ପରିସରରେ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କର ମେଧାବୀ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀମାନ କିଶୋର ପ୍ରଧାନ ମୁଖ୍ୟ ଅତିଥି, ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନବ କିଶୋର ମହାପାତ୍ର, ଅଭିଭାବକ ସନ୍ତୋଷ କୁମାର ଦାଶ, ଲକ୍ଷ୍ମୀଧର ବେହେରା, ଏବ ୟୁନିଟ-୮ ବିଦ୍ୟାମନ୍ଦିରର +୨ ବିଭାଗର ମାନବେନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଚଳିତ ଶିକ୍ଷା ବର୍ଷରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ୧୧ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ସୁଶ୍ରୀ ଶାରଦା ଶୁଭଦର୍ଶିନୀ ମହାପାତ୍ର, ଶ୍ରୀମାନ ଆଲୋକ ବେହେରା ଓ ଶ୍ରୀମାନ ଆଦର୍ଶ ଭରଦ୍ୱାଜ ଏ୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଏ୨ ରେ ୬ ଜଣ, ବି ୧ ଜଣେ ଓ ବି ୨ରେ ଜଣେ ଉତ୍ତୀର୍ଣ୍ଣ ହୋଇ ବିଦ୍ୟାମନ୍ଦିରର ଗୌରବ ବୃଦ୍ଧି କରିଥିବାରୁ ସମ୍ପାଦକ ସନ୍ତୋଷ ପ୍ରକାଶ କରିବା ସହ ଆଗାମୀ ଶିକ୍ଷା ବର୍ଷରେ କିପରି ଅଧିକ ଛାତ୍ରଛାତ୍ରୀ ଏ୧ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବେ ସେ ସମ୍ପର୍କରେ ଛାତ୍ରଛତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମୟାନୁବର୍ତ୍ତିତା, ଶୃଙ୍ଖଳା ଓ ଶିକ୍ଷା ବିକାଶ ସମିତିର ଯୋଜନାକୁ ସଫଳ ଭାବରେ ପ୍ରୟୋଗ କରି ପାରିଲେ ଆମ ବିଦ୍ୟାଳୟ ନିଜର ସ୍ୱତନ୍ତ୍ରତା ବଜାୟ ରଖିବା ସହ ସାମାଜିକ ଶୃଙ୍ଖଳା କ୍ଷେତ୍ରରେ ଆମ ଅଞ୍ଚଳରେ ସୁନାମ ଅର୍ଜନ କରିପାରିବ ବୋଲି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ପରିଶ୍ରମ ଛାତ୍ରଛାତ୍ରୀ ମାନଙ୍କ ଉଦ୍ୟମ ବିଶେଷ କରି କିଶୋର ଭାଇଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଛାତ୍ରଛାତ୍ରୀମାନେ ସଫଳ ହେଲେ ବୋଲି ସନ୍ତୋଷ କୁମାର ଦାଶ ମତବ୍ୟକ୍ତ କରିଥିଲେ । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କୁ ଉପଢୌକନ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଦଶମ ପାସ୍ କରିଥିବା ଛାତ୍ରଛାତ୍ରୀ ମାନେ ନିଜ ଅନୁଭବର କଥା ପ୍ରଦାନ କରିବା ସହ ସାରା ଜୀବନ ଉକ୍ତ ବିଦ୍ୟାଳୟ ସହ ଜଡ଼ିତ ରହିବେ ବୋଲି ଦୃଢୋକ୍ତି ପ୍ରଦାନ କରିଥିଲେ । ସର୍ବଶେଷରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ୍ ପ୍ରଦାନ ପୂର୍ବକ ଜଳପାନ ଦିଆଯାଇ ବନ୍ଦେ ମାତରଂ କରାଯାଇ ସଭା ସାଙ୍ଗ କରାଯାଇଥିଲା ।