ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା ଅଧ୍ୟକ୍ଷ ତଥା ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ଥାନୀୟ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ପ୍ରଶାସନର ମିଳିତ ଅଭିଯୋଗ ଶୁଣାଣି ଶିବିର ପରେ ପରେ ଅଧ୍ୟକ୍ଷ ଇଂ. ଶ୍ରୀ ଜଗଦଲାଙ୍କୁ ସ୍ଵାଗତ କରାଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ସୋନପୁର, ଡ. ସୌମ୍ୟାରୂପା ରଥଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ସଭାପତି ଇଂ. ଶ୍ରୀ ଜଗଦଲାଙ୍କୁ ସ୍ଵାଗତ କରିବା ସହିତ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସହିତ ମିଳିମିଶି କାମ କରିବା ସହ ଜିଲ୍ଲାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ବୋଲି ପ୍ରତିକ୍ରିୟା ରଖିଥିଲେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କମିଟି ସଭାପତି ଇଂ. ଶ୍ରୀ ଜଗଦଲା ନିଜର ବକ୍ତବ୍ୟରେ ଏହି ଗୁରୁ ଦାୟିତ୍ୱ ପାଇଁ ଓଡ଼ିଶା ସରକାରଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ପ୍ରଶାସନର ଉତ୍ସାହ ଓ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ ଆପଣ ମାନଙ୍କ ମିଳିତ ସହଯୋଗରେ ଜିଲ୍ଲାର ଦୃତ ବିକାଶ ହେବ ବୋଲି ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଜିଲ୍ଲାର ଅଧୁରା କାର୍ଯ୍ୟକୁ ଶୀଘ୍ର ପୂରା କରିବାକୁ ଓ କୃଷି, ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଶିକ୍ଷା ଓ ଗମନାଗମନର ବିକାଶ ଓ ସାମୁହିକ ବିକାଶ ଲାଗି ମୁଁ ସବୁବେଳେ ବିଧାନସଭାରେ ସ୍ୱର ଉତ୍ତୋଳନ କରି ଆସୁଛି ବୋଲି କହିଥିଲେ । ନୂଆଁ ସରକାରରେ ଅର୍ଥର ଅଭାବ ନାହିଁ, ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ହେବ ଓ ଟିମ ୱାର୍କରେ ବିକଶିତ ଓଡ଼ିଶା ଗଠନ ସମ୍ଭବ ବୋଲି ମତ ରଖି ଜିଲ୍ଲାର ଅଧୁରା କାର୍ଯ୍ୟକୁ ପୂରା କରିବା, ବିଭିନ୍ନ ସମସ୍ୟା ସମାଧାନ ଓ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଲାଗି ଏହି ପଦବୀ ଏହି ଗୁରୁ ଦାୟିତ୍ୱ ମୋ ପାଇଁ ଏବେ ଏକ ଚ୍ୟାଲେଞ୍ଜ ହୋଇଛି ବୋଲି ଶ୍ରୀ ଜଗଦଲା କହିବା ସହ ଜିଲ୍ଲାକୁ ୧ ନମ୍ବର ଜିଲ୍ଲା ଭାବେ ଆମେ ମିଶି ଗଢିବା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ସରକାରୀ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।
Next Post