- ଭାବ ବିହ୍ୱଳ ହେଲା ସମ୍ବର୍ଦ୍ଧନା ପର୍ବ
ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ବରଗଡ ଜିଲ୍ଲାର ପଣ୍ଡକିପାଲି ଗ୍ରାମର କବି, ଗାଳ୍ପିକ, ପ୍ରାବନ୍ଧିକ ନାଟ୍ୟକାର ଡକ୍ଟର ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଜଣେ ମିଷ୍ଟଭାଷୀ ଓ ମେଳାପୀ ମଣିଷ । ତାଙ୍କ ଚରିତ୍ର ଏବଂ ଜୀବନଶୈଳୀ ଖୁବ୍ ନିଆରା । ପ୍ରାୟତଃ ମଣିଷମାନଙ୍କ ଭିତରେ ଅହଂକାର, ଗର୍ବ ଏବଂ ବଡପଣିଆ ବାରି ହୋଇ ପଡୁଥିବା ବେଳେ ଏବେ ବି କିଛି ମଣିଷ ନିଜର ପ୍ରତିଭାକୁ ମୁହଁ ଫୁଟାଇବା ପାଇଁ ନାରାଜ । ଏମିତି ଏକ ମଣିଷ ହେଉଛନ୍ତି ଡକ୍ଟର ପ୍ରଧାନ ଯେ ସରଳ କଥା କହି ମଣିଷ ପଣିଆର ପରିଚୟ ଦେଇଛନ୍ତି । ସେ ଗତ କିଛି ବର୍ଷ ହେବ ବଲାଙ୍ଗିରର ସେଞ୍ଚୁରିଅନ ୟୁନିଭର୍ସିଟିରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ । ନିଜର କାର୍ଯ୍ୟରେ ନିୟୋଜିତ ରହି ମଧ୍ୟ ନିଜ ସାହିତ୍ୟ ସାଧନାରେ ସିଦ୍ଧହସ୍ତ ଥିଲେ । ବଲାଙ୍ଗିରର ତହଁକ୍ କୁଟୁମ୍ ପାଇଁ ମୁଖ୍ୟ ଭୂମିକା ନିର୍ବାହ କରି ଅନୁଷ୍ଠାନ ପାଇଁ ଅନବରତ କାର୍ଯ୍ୟ କରୁଥିଲେ । କିନ୍ତୁ ଏବେ ସେ ପୁରୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଯୋଗଦେବେ । ପୁରୀ ଯିବା ପୂର୍ବରୁ ତହଁକ୍ କୁଟୁମ୍ ସାଙ୍ଗରେ ବିତାଇଥିବା ମୂହୁର୍ତ୍ତ ସବୁକୁ ମନେ ପକାଇବା ଏବଂ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦେବା ପାଇଁ ଏକ ସଭା ଆୟୋଜନ କରାଯାଇଥିଲା । ଏହି ଅବସରରେ କବି ଗୋପୀନାଥ ଦଣ୍ଡସେନା, କବି ସୁଶାନ୍ତ ବାଗ, ଗୋପାଳ ଚନ୍ଦ୍ର ମେହେର, ଦିଲୀପ ପୁରୋହିତ, ପୁଷ୍ପାଞ୍ଜଳି ମେହେର, ମିଲନ୍ ପଣ୍ଡା, ସୁଦେଷ୍ନା ମିଶ୍ର, ନିକିତା ସା, ମାନସୀ ସାହୁ ଯୋଗଦେଇ ତାଙ୍କ ସହିତ ବିତାଇଥିବା ସ୍ମରଣୀୟ ମୂହୁର୍ତ୍ତର ଗାଥା ବଖାଣିଥିଲେ । ମୁଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ ଗୀତ ଗାଇ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେଇଥିବାବେଳେ ସମ୍ପାଦକ ରାଜେଶ ଦଣ୍ଡସେନା ନିଜ ବକ୍ତବ୍ୟରେ କାନ୍ଦି ପକାଇଥିଲେ ଓ କହିଥିଲେ କି ଏମିତି ବନ୍ଧୁଟିଏ ଆଜି ଆମ ପାଖରୁ ଦୂରକୁ ଯାଉଥିବାରୁ ମୁଁ ଏବଂ ତହଁକ୍ କୁଟୁମ୍ ବେଶ ଦୁଃଖିତ ବୋଲି କହିଥିଲେ । ଡକ୍ଟର ପ୍ରଧାନ ମଧ୍ୟ ନିଜ ବକ୍ତବ୍ୟରେ କାନ୍ଦି କାନ୍ଦି ତହଁକ୍ କୁଟୁମରେ କଟାଇଥିବା ସମୟ ଏବଂ ତାଙ୍କୁ ତହଁକ୍ ପ୍ରତି ମିଳିଥିବା ଭଲ ପାଇବା ଉପରେ କହିଥିଲେ । ଉପସ୍ଥିତ ଥିବା ସମସ୍ତ କବିଗଣ ଭାବ ବିହ୍ୱଳ ହୋଇପଡିଥିଲେ । ଶେଷରେ ତାଙ୍କୁ ତାଙ୍କ ଜୀବନ ଉପରେ ଲେଖା ହୋଇଥିବା କବିତା ଉପହାର ଦେଇ ସଭାସାଙ୍ଗ କରାଯାଇଥିଲା ।