
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ମାୟାବର୍ହା କ୍ଲଷ୍ଟର ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ପରୀକ୍ଷାଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ନବମ ଶ୍ରେଣୀରେ ପଢିବାକୁ ଥିବାରୁ ସେମାନଙ୍କ ବିଦ୍ୟାଳୟ ପ୍ରତି ଅବଦାନକୁ ମନେ ପକାଇ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଆର୍ତତ୍ରାଣ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପରବର୍ତ୍ତୀ ଶ୍ରେଣୀରେ ଭଲ ଭାବେ ପାଠପଢି ବିଦ୍ୟାଳୟର ଟେକ ରଖିବାକୁ ପରାମର୍ଶ ଦେବା ସହ ସଫଳତାର ମନ୍ତ୍ରରେ ପ୍ରତିଜ୍ଞାବଦ୍ଧ କରାଇଥିଲେ । ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ସରପଞ୍ଚ ସମ୍ପଦ ବାଘ, ସିଆର୍ସିସି ସୌରଭ ସାହୁ, ଶିକ୍ଷୟିତ୍ରୀ ଲକି ସାହୁ ଓ ପୁରାତନ ଛାତ୍ରୀ ତଥା ଶିକ୍ଷୟିତ୍ରୀ ରୀନା ବାଘ ମଂଚାସୀନ ହୋଇ କଠିନ ପରିଶ୍ରମ କରି ସଫଳତା ଲାଭ କରିବାକୁ ପରାମର୍ଶ ଦେଇଥିଲେ । ଶିକ୍ଷକ ସରୋଜ କୁମାର ବାଗ ସଭା ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରଶ୍ମିତା ପଧାନ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଅଷ୍ଟମ ଶ୍ରେଣୀର ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ସେମାନଙ୍କ ଆଠ ବର୍ଷର ଅନୁଭୂତିର ସ୍ମୃତିଚାରଣ କରିଥିଲେ । ସେମାନଙ୍କୁ ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀମାନେ ଫୁଲଚନ୍ଦନ ଓ ଉପହାର ପ୍ରଦାନ କରି ଶୁଭବିଦାୟ ଜଣାଇଥିଲେ । ଚଳିତ ବର୍ଷ ଏନ୍ଏମ୍ଏମ୍ଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବାକୁ ଯୋଗ୍ୟ ହୋଇଥିବା ଛାତ୍ରୀ ଆଭା ସାହୁ ଓ ଆକାଶ ସାହୁଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଦୀପକ ସାହୁ ବିଦ୍ୟାଳୟର ସମସ୍ତ ସଫଳତାର ଶ୍ରେୟ ଏସ୍ଏମ୍ସି ସଭ୍ୟସଭ୍ୟା ଓ ଗ୍ରାମବାସୀଙ୍କୁ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସମସ୍ତେ କ୍ଷୀରି ପିଠା ଭୋଜନ କରି ଉତ୍ସାହିତ ହୋଇଥିଲେ ।