ବିଜ୍ଞାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଦୁଲକିବନ୍ଧ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ରେଖା ସମାସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜ୍ଞାନ ଶିକ୍ଷକ ସୁଶୀଲ କୁମାର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉପସ୍ଥିତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀମାନେ ଶ୍ରୀ ସାହୁଙ୍କୁ ଜଣେ ମିଷ୍ଟଭାଷୀ, ମେଳାପୀ ଏବଂ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ବୋଲି ମତ ବ୍ୟକ୍ତ କରି ତାଙ୍କ ଚାକିରୀ ସମୟର ସ୍ମୃତିଚାରଣ କରିଥିଲେ । ଶିକ୍ଷକ ସୁଶୀଲ ସାହୁଙ୍କ ଅବସରକାଳୀନ ଅନୁପସ୍ଥିତି ବିଦ୍ୟାଳୟ ପାଇଁ ଏକ ଶୂନ୍ୟସ୍ଥାନ ହୋଇ ରହିବ ବୋଲି ନିଜ ବକ୍ତବ୍ୟରେ ଶିକ୍ଷକ, ଶିକ୍ଷୟିତ୍ରୀମାନେ ପ୍ରକାଶ କରିଥିଲେ । ଏହା ସହ ତାଙ୍କର ଆଗାମୀ ସମୟ ନିରାମୟ ଏବଂ ନିରୋଗ ଜୀବନଯାପନ ପାଇଁ କାମନା କରିଥିଲେ । ଏକ ଭାବବିହ୍ୱଳ ପରିବେଶରେ ଶ୍ରୀ ସାହୁଙ୍କୁ ବିଦ୍ୟାଳୟ ପକ୍ଷରୁ ଉପଢୌକନ, ମାନପତ୍ର ପ୍ରଦାନ କରାଯାଇ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

Leave A Reply

Your email address will not be published.