କୁରୁଲ, (କେପିଏନ୍ଏସ୍) : ଦିଗାମ୍ବର ନାଏକଙ୍କ ପରିଚୟ କହିଲେ ରାମଜୀ ହାଇସ୍କୁଲକୁ ବୁଝାଏ । ଦୀର୍ଘ ୩୭ ବର୍ଷ ୧ମାସ ଧରି ଶିକ୍ଷକତା ଚାକିରି ପରେ ସେ ଗତ ଅଗଷ୍ଟ ୩୧ ତାରିଖରେ ନିଜ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି । ତାହା ପୁଣି ନିଆରା ଢଙ୍ଗରେ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୁଇନ୍ତଲା ବ୍ଲକ ଅଧ୍ୟକ୍ଷ ସରୋଜ କୁମାର ପଧାନ, ୧୯ ନଂ.ଜିଲ୍ଲା ପରିଷଦ ସଭ୍ୟା ସବିତା ସେଟ, କୁରୁଲ ସରପଞ୍ଚ ଅନିତା ସେଟ ଓ କୁରୁଲ ସମିତି ଯଶୋବନ୍ତୀ ସେଠ । ପ୍ରଥମେ ଶ୍ରୀ ନାଏକଙ୍କ ବିଦାୟକାଳୀନ ସ୍ମୃତିକୁ ଚିରଦିନ ମନେପକାଇବା ସକାଶେ ସାଂସଦ ଶ୍ରୀ ବିଶିଙ୍କ ପ୍ରଦତ୍ତ ଛାତ୍ରୀଙ୍କ ସାଇକେଲ ଷ୍ଟାଣ୍ଡ (ଆଞ୍ଚଳିକ ଉନ୍ନୟନ ପାଣ୍ଠି)କୁ ସମସ୍ତ ଅତିଥି ଫିତାକାଟି ଉନ୍ମୋଚନ କରି ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ନିର୍ମିତ ଆଲୁମିନିଙ୍କ ନୂତନ ଗୃହକୁ ଉଦ୍ଘାଟନ କରିଥିଲେ । ପରେ ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ପୁରାତନ ଓ ନୂତନ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା, ମହିଳା ସ୍ଵଂୟ ସହାୟକ ଦଳ, ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ସରପଞ୍ଚ, ସମିତିସଭ୍ୟ, ବୁଦ୍ଧିଜୀବୀ, ଅଞ୍ଚଳବାସୀଙ୍କୁ ନେଇ ଏକ ସଭାର ଆୟୋଜନ କରାଯାଇଥିଲା । ସଭାରେ ସଭାପତିତ୍ୱ କରିଥିଲେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ବର୍ତ୍ତମାନର ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସାହୁ । ମୁଖ୍ୟ ଅତିଥି ବିଦାୟୀ ଶିକ୍ଷକଙ୍କ ସ୍କୁଲ ପ୍ରତି ସମର୍ପିତ ଅବଦାନକୁ ଭୂୟସୀ ପ୍ରଶଂସା କରି ବିଦ୍ୟାଳୟର ମଞ୍ଚକୁ ପୁନଃଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଅଧ୍ୟକ୍ଷ ପୁଇନ୍ତଲା ବ୍ଲକ ଶ୍ରୀ ପଧାନ ରାମଜୀ ହାଇସ୍କୁଲ କହିଲେ ଦିଗାମ୍ବର ସାରଙ୍କୁ ବୁଝାଏ । ସେ ଏହି ବିଦ୍ୟାଳୟର ବିନ୍ଧାଣୀ । ଝାଟିମାଟି ଘରଠୁ ଆରମ୍ଭ ଏହି ବିଦ୍ୟାଳୟ ଆଜି ରାଜ୍ୟରେ ଅଗ୍ରଣୀ ବିଦ୍ୟାଳୟ ଭାବେ ପରିଗଣିତ । ୫ଟି ପୂର୍ବରୁ ଏହାର ରୂପାନ୍ତରିତ ହୋଇଥିଲା କିନ୍ତୁ ୫ଟି ପରେ ଏହା ଆହୁରି ସୁନ୍ଦର ଦେଖାଯାଉଥିବା ର ମୁଖ୍ୟ ବିନ୍ଧାଣୀ ଶ୍ରୀ ନାଏକ । ଅଧ୍ୟକ୍ଷା ଜିଲ୍ଲା ପରିଷଦ ବଲାଙ୍ଗିର ଅପରାହ୍ନ ୪ଟାରେ ଯୋଗଦେଇ ଶିକ୍ଷକ ଶ୍ରୀ ନାଏକଙ୍କ ଅବଦାନକୁ ପ୍ରଶଂସା କରି ନାଏକଙ୍କ ପ୍ରଦତ୍ତ ୩୭ଟି ନଡିଆଗଛ ରୋପଣର ଶୁଭାରମ୍ଭ କରିଥିଲେ । ପରବର୍ତ୍ତୀ ଯତ୍ନ ଛାତ୍ରଛାତ୍ରୀଙ୍କୁ ନେବାକୁ ପରାମର୍ଶ ଦେଇଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବିଜ୍ଞାନ ଶିକ୍ଷୟିତ୍ରୀ ବାସନ୍ତୀ ସାହୁ । ପରେ ସ୍କୁଲ ଛାତ୍ରଛାତ୍ରୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ହଜାର ହଜାର ସଂଖ୍ୟାରେ ଯୋଗଦେଇଥିବା ପୁରାତନ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ନିଆରା ଦୃଶ୍ୟ ଥିଲା ଅଭିନ୍ନ । ପୁଣି ଓଡ଼ିଶାର ପ୍ରଖ୍ୟାତ ରକ୍ ଷ୍ଟାର ଗାୟକ ରୁକୁ ସୁନାଙ୍କ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଦିଗାମ୍ବର ନାଏକଙ୍କୁ ଦୁଲଦୁଲି, ଡି. ଜେ., ଭରତ ବାହାଲ ଓ ଦୁର୍ଗାପଡ଼ା କୀର୍ତ୍ତନ ମଣ୍ଡଳୀଙ୍କ ତାଳେ ତାଳେ ହଜାର ହଜାର ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ନାଚ ଗୀତ ସହ ଘରକୁ ଶୋଭାଯାତ୍ରା କରି ପାଛୋଟି ଆଣି ଘରେ ଛାଡ଼ିଥିଲେ । ବିଦ୍ୟାଳୟର ଆଲୁମିନି ସଭାପତି ଅଶ୍ଵିନୀ କୁମାର ନାଏକ, ସଭାପତି ପରିଚାଳନା କମିଟି ସୁଦାମ ପଟେଲ, ସଚ୍ଚିକାନ୍ତ ରାଉତ, ମାନସିଂ ସେଟ, ସନ୍ତୋଷ ପଟେଲ, ଆଶିଷ ନାଏକ, ସୁରେନ୍ଦ୍ର ନାଏକ, ଭକ୍ତଚରଣ ନାଏକ ପ୍ରମୁଖ ଭୂମିକା ନେଇଥିଲେ ଓ ନୂତନ ପୁରାତନ ଛାତ୍ର ଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ନିର୍ବାହ ହୋଇଥିଲା । ଅନନ୍ୟ ପ୍ରତିଭାର ଅଧିକାରୀ କୁରୁଲ ହାଇସ୍କୁଲ ରାଜ୍ୟ ପୁରସ୍କାରପ୍ରାପ୍ତ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ଅବସର ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଥିଲା ନିଆରା ।
Next Post