
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତିନଗରଠାରେ ହିନ୍ଦୀ ବାଳକ କ୍ଲଷ୍ଟର ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ବରିଷ୍ଠ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ମହାଶୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ । ସ୍ୱତନ୍ତ୍ର ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କପିଳେଶ୍ୱର ରଥ, ଅବସରପ୍ରାପ୍ତ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ହୋତା, ଶ୍ରୀମତୀ ସବିତା ପ୍ରଧାନ ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନିଳିମା ହୋତା ଯୋଗ ଦେଇଥିଲେ । ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ଶିକ୍ଷା ବର୍ଷ ୨୦୨୧ – ୨୨ ପାଇଁ ହିନ୍ଦୀ ବାଳକ କ୍ଲଷ୍ଟରର ବୃତ୍ତି ପାଇଥିବା ୧୦ ଜଣ କୃତି ଛାତ୍ରଛାତ୍ରୀଙ୍କୁ ବରେଣ୍ୟ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ବୃତ୍ତି ପାଇଥିବା ବିଦ୍ୟାଳୟଗୁଡ଼ିକୁ ଯଥା ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପାଲି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମାଷ୍ଟରଟିକ୍ରା, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗାଧର ନଗର ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶକ୍ତିନଗର – ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶଂସା ପତ୍ର ବରେଣ୍ୟ ଅତିଥିମାନଙ୍କ କରକମଳରୁ ପ୍ରଦାନ କରାଯାଇଛି । ବରେଣ୍ୟ ଅତିଥି ବୃନ୍ଦ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ନିକଟ ଅତୀତରେ ସଂସଦ ଭବନରେ କାରୁଶିଳ୍ପ କରିବା ପାଇଁ ସୁଯୋଗ ପାଇଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପାଲିର କଳା ଶିକ୍ଷୟିତ୍ରୀ ସୁଶ୍ରୀ ସ୍ନେହଲତା ମହାରଣାଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରାଗଲା । ଏହି ଅବସରରେ ପ୍ରଥମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଅନ୍ବେଷା ପଣ୍ଡାଙ୍କ ଓଡ଼ିଶୀ ନୃତ୍ୟ, ପ୍ରୀତି ଓ ସାଥୀଙ୍କ ଆଦିବାସୀ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆୟୋଜକ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜିକା ଶ୍ରୀମତୀ ନମିତା ପଟ୍ଟନାୟକ ସଂଯୋଜନା ତଥା ପରିଚାଳନା କରିଥିଲେ । ପରିଶେଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶକ୍ତି ନଗରର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ବୀଣାପାଣି ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।