
ମାଲକାନଗିରି : ବିଶ୍ୱକପ ହକି ଟ୍ରଫି ଓ ମାସ୍କଟକୁ ପାରମ୍ପରିକ ଆଦିବାସୀ ନୃତ୍ୟ ସଙ୍ଗୀତ ମାଧ୍ୟମରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଓ ଜିଲ୍ଲାବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି । କୋରାପୁଟ ଠାରୁ ମାଲକାନଗିରି ଜିଲ୍ଲା ପ୍ରବେଶ ଦ୍ୱାର ଗୋବିନ୍ଦପାଲି ଓ ମାଲକାନଗିରି ସହର ପ୍ରବେଶ ଦ୍ୱାର ଭୈରବ ମନ୍ଦିର ଠାରୁ ବଣ୍ଡା, କୋୟା, ଦୁରୁଆ ପାରମ୍ପରିକ ଆଦିବାସୀ ନୃତ୍ୟ ମାଧ୍ୟମରେ ବିଶ୍ୱକପ ହକି ଟ୍ରଫିକୁ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇ ଦଣ୍ଡକାରଣ୍ୟ ମଇଦାନକୁ ପାଛୋଟି ନିଆଯାଇ ଥିଲା । ସେଠାରେ ମାଲକାନଗିରି ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ଆଦିବାସୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡ଼ମାରାବା, ଜିଲ୍ଲାପାଳ ବିଶାଲ ସିଂ, ଏସ୍ପି ନିତେଶ ୱାଧନୀ, ଡିଏଫଓ ପ୍ରତାପ କୋଟାପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଣ୍ଡୁ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ନାକର ସାହୁ, ପିଏ ଆଇଟିଡିଏ ତ୍ରିନାଥ ମାଝୀ ଟ୍ରଫିକୁ ପୁଷ୍ପମାଲ୍ୟ ଅର୍ପଣ ସହ ସ୍ୱାଗତ ଜଣାଇ ମଣ୍ଡପ ନିକଟକୁ ପାଛୋଟି ନେଇ ଯାଇଥିଲେ । ସେଠାରେ ଏକ ସ୍ୱତନ୍ତ୍ର ମଞ୍ଚରେ ସର୍ବସାଧରଣଙ୍କ ଉଦ୍ଦେଶ୍ୟରେ ଟ୍ରଫି ପ୍ରଦର୍ଶନ କରାଯାଇଥିଲା । ଅତିଥିମାନେ ସବୁଜ ପତକା ଦେଖାଇ ହକି କ୍ରୀଡାକୁ ଉଦ୍ଘାଟନ କଲାପରେ ଡିଏନକେ ପଡ଼ିଆ ଠାରେ ପଦ୍ମଗିରି ଏସଏସଡି ହାଇସ୍କୁଲ ଛାତ୍ରମାନେ ବନ୍ଧୁତ୍ୱ ପୂର୍ଣ୍ଣ ହକି ମ୍ୟାଚ୍ ଖେଳି ଥିଲେ ।