କୋକଡୁଙ୍ଗରିଠାରେ ସ୍ମୃତି ସମ୍ବର୍ଦ୍ଧନା ସଭା

  • ଯୁବ ସାମ୍ବାଦିକ ହୁଲେଶ୍ୱର ହଂସଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ କୋକଡୁଙ୍ଗରି ଠାରେ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା କମିଟିର ପଞ୍ଚସଖା ସତସଙ୍ଗ କମିଟି ପକ୍ଷରୁ ସ୍ମୃତି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ପଞ୍ଚସଖା ସତସଙ୍ଗ କମିଟିର ପ୍ରତିଷ୍ଠାତା ସତ୍ୟନାରାୟଣ ଭୋଇ ଓ ଚମ୍ପେଶ୍ୱର ନାଗଙ୍କ ବିୟୋଗରେ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ସହ ସ୍ମୃତିଚାରଣ କରିବା ସହ ଅମର ଆତ୍ମାର ସଦ୍‌ଗତି ପାଇଁ ଦୁଇ ମିନିଟ୍‌ ନୀରବ ପ୍ରାର୍ଥନା କରିଥିଲେ । ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ପଞ୍ଚସଖା ସତସଙ୍ଗ କମିଟିର ସଭାପତି ବଳିୟାର ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦଙ୍କ ମୁରିବାହାଲ ବ୍ଲକ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇ, ଡଙ୍ଗରପଡା ପଞ୍ଚାୟତର ସମିତି ସଭ୍ୟ ବିରଞ୍ଚି ନାରାୟଣ ବହିଦାର, ଆଦିବାସୀ ନାରୀନେତ୍ରୀ କିରଣ ଭୋଇ, ନାରୀନେତ୍ରୀ ଦେବକୀ ହଂସ, ଅବସରପ୍ରାପ୍ତ ସୈନିକ ଧନେଶ୍ୱର ମାଝୀ, କଣ୍ଠଶିଳ୍ପୀ ରେଣୁ, ରଞ୍ଜନ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକଜୁଟ ସାର୍ବଜନୀନ ଗିରି ଗୋବର୍ଦ୍ଧନ ପୂଜା କରିବା ସହ ମାନବ ଜାତିର କଲ୍ୟାଣ ନିମିତ୍ତ ଜଳ, ଜଙ୍ଗଲ, ଜମିର ସୁରକ୍ଷା, ନାରୀର ସୁରକ୍ଷା, ସମାଜରେ ଶିକ୍ଷା ହିଁ ଏକମାତ୍ର ବାଟ ଯିଏକି ପ୍ରଗତି ପଥକୁ ନେଇଯିବ । ପୁରୁଷ ପ୍ରଧାନ ଦେଶରେ ନାରୀମାନଙ୍କ ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ ବହନ କରି ସୁସ୍ଥ ସମାଜ ଗଠନ ନାରୀର ମହତ୍ତ୍ୱପୂର୍ଣ୍ଣ ଭୂମିକା ବୋଲି ମତବ୍ୟକ୍ତ କରିବା ସହିତ ପୁରୁଷ ଓ ମହିଳା ଉଭୟେ ମିଶି କାନ୍ଧକୁ କାନ୍ଧ ପ୍ରଗତି ପଥକୁ ଆଗେଇ ନେବା ପାଇଁ ଆହ୍ୱାନ କରିଥିଲେ । କୋକଡୁଙ୍ଗରି ପୀଠକୁ ପର୍ଯ୍ୟଟନ ସ୍ଥଳୀ କରିବା ପାଇଁ ମଧ୍ୟ ସଭାରେ ଦାବୀ ଉଠିଥିଲା । ଏହି ଅବସରରେ କଣ୍ଟାବାଞ୍ଜି ଅଞ୍ଚଳରେ ସାମ୍ବାଦିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସାଲେପଡା ଗାଁର ଆଶାକର୍ମୀ ଜାନକୀ ପରଭୋଇ, ବାହାଡୁକି ଅଙ୍ଗନୱାଡ଼ି କର୍ମୀ ରେଣୁକା ପଧାନ, ମାଟ୍ରିକ ପରୀକ୍ଷାରେ ଅଧିକ ମାର୍କ ରଖିଥିବା ଛାତ୍ରୀ ଅହଲ୍ୟା ଭୋଇ ଓ ପ୍ରତିମା ନାଗଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ପାଦକ ମାଲିକ ମହାକୁର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ବରିଷ୍ଠ ସମାଜସେବୀ ତେଜୁରାମ ବାଗ ସଭା ସଂଯୋଜନା କରିଥିଲେ । ଉପସଭାପତି ମହାଦେବ ଟାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଏଥିରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତାମାନେ ସହ ଯୋଗ କରିଥିଲେ ।

Leave A Reply

Your email address will not be published.