jayashree

ଜେନିଥ ଲାୟନ୍ସ ଗୁରୁକୂଳରେ ସମ୍ବଲପୁରୀ ଦିନ୍‌ ପାଳିତ

  • ଲୋକାଭିମୂଖୀ ହେଉଛି ସମ୍ବଲପୁରୀ ସାହିତ୍ୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଝାଁକରପାଲିଠାରେ ଥିବା ଜେଲିଥ ଲାୟନ୍ସ ଗୁରୁକୂଳ ବିଦ୍ୟାଳୟଠାରେ ସମ୍ବଲପୁରୀ ଦିନ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡାଙ୍କ ପୌରାହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ ସାହିତ୍ୟର ଗବେଷକ ତଥା ଦହିତା ମହାବିଦ୍ୟାଳୟର ଅଧ୍ୟାପକ ସୁଶାନ୍ତ ମିଶ୍ର ଯୋଗଦାନ କରି ସମ୍ବଲପୁରୀ ଭାଷା ସାହିତ୍ୟର ଅସ୍ମିତା, ସ୍ୱାଭିମାନ ଏବଂ ଏହାର ସାଂପ୍ରତିକ ସ୍ଥିତି ସଂକ୍ରାନ୍ତରେ ଉଦ୍‌ବୋଧନ ଦେଇଥିଲେ । ଇଂରାଜୀ ମିଡିଅମ ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମ୍ବଲପୁରୀ ପୋଷାକ ପରିଧାନ କରିବା ସହିତ ଉତ୍ସାହିତ ହୋଇ ଏହି ପର୍ବକୁ ପାଳନ କରିଥିଲେ । ତେଣୁ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଲୋକାଭିମୂଖୀ ହେବା ପାଇଁ ଶୁଭଙ୍କର ଅଟେ ବୋଲି ଅତିଥି ଶ୍ରୀ ମିଶ୍ର ପ୍ରଶଂସା କରିଥିଲେ । ସମ୍ବଲପୁରୀ ଭାଷାର ଆଦ୍ୟ ସୃଜନ ତଥା ଧାରାବାହିକ ବିକାଶ ଉପରେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ତାଙ୍କ ଅଭିଭାଷଣରେ କହିଥିଲେ । ନିର୍ବାଚିତ ଛାତ୍ରଛାତ୍ରୀମାନେ ସମ୍ବଲପୁରୀ ଦିନ ସଂକ୍ରାନ୍ତରେ ବକ୍ତବ୍ୟ ପ୍ରଦାନ ଏବଂ କବିତା ଆବୃତି କରିଥିଲେ । କାର୍ଯ୍ୟକ୍ରମରେ ସିଏଚ୍‌ଏସି ଅଧ୍ୟକ୍ଷ ଚତୁର୍ଭୁଜ ବେହେରା ଅନ୍ୟତମ ଅତିଥି ଭାବରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.