oom

କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଆଦାନୀ ପାଇଁ ଦେଶ, ସମ୍ବିଧାନର ବଳି ଦେଉଛି ବିଜେପି

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦାନୀ ଏବେ ସାରା ବିଶ୍ୱ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ମଧ୍ୟ ଲୋକସଭାରେ ସେହି ବିଷୟକୁ ନେଇ ବିଜେପି ସରକାରଙ୍କୁ ଘେରିଥିଲେ । ସେଥିରେ ଆକ୍ରୋଶମୂଳକ ଭାବେ ବିଜେପି ସରକାର ରାହୁଲ ଗାନ୍ଧୀଙ୍କୁ ଜେଲ୍‌ କରାଇବା ସହ ତାଙ୍କୁ ସରକାରୀ ଘରୁ ତଡ଼ି ଦେବାର ଷଡ଼ଯନ୍ତ୍ର ରଚିଛି । ଏହା କେବଳ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପାଇଁ ସୀମିତ ନୁହେଁ । ବିଜେପି ସରକାର ଆଦାନୀଙ୍କ ସୁରକ୍ଷା ପାଇଁ ଦେଶ ଏବଂ ସମ୍ବିଧାନର ବଳି ଦେଉଛି ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନ ଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଜିଲ୍ଲା ପର୍ଯ୍ୟବେକ୍ଷକ ଅନନ୍ତଶୟନ ପାଢ଼ୀ ବିଷୋଦ୍‌ଗାର କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ହିଡେନ୍‌ବର୍ଗ ରିପୋର୍ଟ ଆସିବା ପରେ ଆଦାନୀ କଂପାନୀ ସାରା ବିଶ୍ୱରେ ନିଜର ସତ୍ତା ହରାଇବାକୁ ବସିଲା । ତାକୁ ରକ୍ଷା କରିବାକୁ ଯାଇ ସେଲ୍‌ କଂପାନୀମାନଙ୍କ ଦ୍ୱାରା ୨୩ ହଜାର କୋଟି ଟଙ୍କା ବେଆଇନ ଭାବେ ଆଦାନୀ କଂପାନୀରେ ବିନିଯୋଗ କରାଯାଇଛି । ରାହୁଲ ଗାନ୍ଧୀ ଏହାକୁ ନେଇ ବିଜେପି ସରକାରଙ୍କୁ ପ୍ରଶ୍ନ କରିଥିଲେ । ଏହାଫଳରେ ବିଜେପି ସରକାର ମଧ୍ୟରେ ରାହୁଲ ଗାନ୍ଧୀ ଆଦାନୀ ପ୍ରଶ୍ନକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଥିଲା । ୨୦୧୯ର ଗୋଟିଏ ମାନହାନୀ ମକଦ୍ଦମାକୁ ପୁନଃଯାଚନା କରି ସେଥିରେ ରାହୁଲ ଗାନ୍ଧୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା କରାଯାଇଥିଲା । କୋର୍ଟ ଦେଇଥିବା ସମୟକୁ ବେଖାତିର କରି ୨୪ ଘଂଟା ମଧ୍ୟରେ ତାଙ୍କର ଲୋକସଭା ସଦସ୍ୟ ପଦକୁ ରଦ୍ଦ କରି ଦିଆଯାଇଥିଲା । ଆହୁରି ସେହି ଘଟଣାରେ ତାଙ୍କୁ ସରକାରୀ ବାସଭବନରୁ ତଡ଼ି ଦିଆଯିବା ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହା ମୋଦୀ ସରକାର ଓ ଆଦାନୀଙ୍କ ସଂପର୍କକୁ ସର୍ବସମ୍ମୁଖକୁ ଆଣିଛି । ଯଦିଓ ଖୋଦ୍‌ ମୋଦୀ ବିଭିନ୍ନ ସମୟରେ ଗାନ୍ଧୀ ପରିବାର ପ୍ରତି ବାରମ୍ବାର ଅପମାନ ଜନକ ଶବ୍ଦ ପ୍ରୟୋଗ କରିଛନ୍ତି, କିନ୍ତୁ ତାଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । କଂଗ୍ରେସ ଏସବୁକୁ ନେଇ ଜନସାଧାରଣଙ୍କ ପାଖକୁ ଯିବ । ସମସ୍ତଙ୍କୁ ଏ ବିଷୟରେ ସଚେତନ କରିବା ସହ ଦେଶ ଓ ସମ୍ବିଧାନ ରକ୍ଷା ପାଇଁ ଅନ୍ତିମ ଲଢେଇ ଲଢ଼ିବ ବୋଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ କୁହାଯାଇଛି । ଆଜିର ଏହି ସମ୍ମିଳନୀରେ କଂଗ୍ରେସ ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା, ଉପସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ନଗର ସଭାପତି ବୁଲୁ ଦାନୀ, କିଶାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ବିଧାୟକ ପ୍ରତିନିଧି ମଂଚାସୀନ ଥିବା ବେଳେ ଜିଲ୍ଲା ଛାତ୍ର ସଭାପତି ଅଙ୍କିତ ସାହୁ, ମହିଳା ସଭାପତି ମିଲନୀ ସାହୁ, ଲୋପନ ମିଶ୍ର, ନାସିର ଖାନ୍‌, ଜୟନାରାୟଣ ବହିଦାର ଓ କିରନ ସେଠ୍‌ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.