ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଆଜି ଏକାଦଶାହ : ଝୁରୁଛନ୍ତି ବନ୍ଧୁ ପରିଜନ

ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡମାଇନ ବିସ୍ଫୋରଣକୁ ଆଜି ଏଗାର ଦିନ ହେଉଥିବା ବେଳେ ଏହି ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କୁ ଝୁୁରୁଛନ୍ତି ବନ୍ଧୁପରିଜନ । ସବୁବେଳେ ସବୁ କାର୍ଯ୍ୟରେ ଲୋଡ଼ା ହେଉଥିଲେ ଅଞ୍ଚଳବାସୀ ଏବଂ ବନ୍ଧୁମାନେ । ବିକାଶର ସ୍ୱପ୍ନ ପାଇଁ ସେ କଲମକୁ ତୟାର ରଖିଥିଲେ । ମୋହନଗିରିରେ ରହିଛି ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ । ଆଗକୁ ଆସୁଛି ଶିବରାତ୍ରୀ । ପ୍ରତିବର୍ଷ ଖୋଜାପଡ଼ନ୍ତି ସାମ୍ବାଦିକ ରୋହିତ ବିଶ୍ୱାଳ । ଏହି ଐତିହାସିକ ଶୈବପୀଠର ରକ୍ଷଣାବେକ୍ଷଣ ଦିଗରେ ଅନ୍ୟମାନଙ୍କ ସହିତ ଗୋଡ଼ କାଢିଥିଲେ ରୋହିତ । ସୀମାନ୍ତବର୍ତ୍ତୀ ଇଲାକାରେ ପ୍ରତିବର୍ଷ ଆୟୋଜିତ ହୁଏ ଆନ୍ତଃଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ, ମୋହନଗିରି ସାର୍ବଜନୀନ ଦୁର୍ଗାପୂଜା, ରଥଯାତ୍ରା, ବିଭିନ୍ନ ଯାନିଯାତ୍ରା, ନେତୃତ୍ୱ ନିଅନ୍ତି ରୋହିତ । ରଙ୍ଗ ଖେଳଠାରୁ ଆରମ୍ଭ କରି ବର୍ଷର ବିଭିନ୍ନ ପର୍ବପର୍ବାଣୀରେ ସାଙ୍ଗଙ୍କ ଗହଣରେ ନିଜକୁ ସାମିଲ କରାଉଥିବା ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରଲୋକକୁ ଆଜି ଏଗାର ଦିନ । ଗତ ୬ ତାରିଖ ଶନିବାର ଦୁଲେନ ଛକ ନିକଟରେ ପ୍ରାଣହାନି ଘଟିଥିବା ରୋହିତଙ୍କୁ କିନ୍ତୁ ଭୁଲିପାରୁ ନାହାନ୍ତି ସାଙ୍ଗମାନେ । ତେଣୁ ବନ୍ଧୁଙ୍କ ସ୍ମୃତିରେ ଏକାଦଶାହ ଦିନ ଆୟୋଜନ କରିଛନ୍ତି ଏକ ଶୋକସଭା ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ । ଏବେ ବି ସାଙ୍ଗରେ ମିଶିଲା ଭଳି ଲାଗୁଛି ବୋଲି କହନ୍ତି ଲକ୍ଷ୍ମୀଧର ବେହେରା, ଶୁକଦେବ ସାହୁ, ଦିବାକର ସାହୁ, ସୂର୍ୟ୍ୟ ନାରାୟଣ ସାହୁ, କୌତୁକ ପନ୍ଦର, ଅମୀୟ ରଞ୍ଚନ ପଧାନ, ରାଜକିଶୋର ସାହୁ, ଦଶରୁ ବରିହା ।

Leave A Reply

Your email address will not be published.