ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୧ତମ ପ୍ରତିଷ୍ଠା ଦିବସ
- ‘ଚାପଗ୍ରସ୍ତ ସାମ୍ବାଦିକ ଓ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ୬୧ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସଂଘୀୟର ସଦସ୍ୟମାନଙ୍କ ଉପସ୍ଥିତିରେ ବରିଷ୍ଠ ସଦସ୍ୟ ନବୀନ ପଶାୟତଙ୍କ ଦ୍ୱାରା ସଂଘ ପତାକା ଉତ୍ତୋଳନ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ‘ଚାପଗ୍ରସ୍ତ ସାମ୍ବାଦିକ ଓ ଆହ୍ୱାନ’ ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଉଦ୍ଘାଟକ ଭାବେ ରାଜ୍ୟସଭା ସଦସ୍ୟ ନିରଂଜନ ବିଶି ଯୋଗଦାନ କରିଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । କନକ ନ୍ୟୁଜ୍ର ସଂପାଦକ ମନୋରଂଜନ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସଂଘର ସାଧାରଣ ସଂପାଦକ ବଳରାମ ଶ୍ରୀମିଶ୍ର ମଂଚାସୀନ ହୋଇ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନିଜ ନିଜ କ୍ଷେତ୍ରରେ ବିଶେଷ ସୁନାମ ଅର୍ଜନ କରିଥିବା ସାମ୍ବାଦିକମାନଙ୍କୁ ସମ୍ମାନିତ କରାଯାଇଥିବା ବେଳେ ପ୍ରତିଷ୍ଠାତା ସଦସ୍ୟ ସ୍ୱର୍ଗତ ସତ୍ୟନାରାୟଣ ବେହେରା ସ୍ମୃତି ସମ୍ମାନ ବରିଷ୍ଠ ସାମ୍ବାଦିକ ରାମକୁମାର ଅଗ୍ରୱାଲଙ୍କୁ, ଶଙ୍କର ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ ବରିଷ୍ଠ ସାମ୍ବାଦିକ ପୁରୁଷୋତ୍ତମ ଠାକୁରଙ୍କୁ, କୈଳାସ ଚନ୍ଦ୍ର ସାହୁ ସ୍ମୃତି ସମ୍ମାନ ପ୍ରମେୟର ଭବାନୀପାଟଣା ପ୍ରତିନିଧି ସନ୍ତୋଷ କୁମାର ସିଂଦେଓଙ୍କୁ, ସପନ ବହିଦାର ସ୍ମୃତି ସମ୍ମାନ ସାମ୍ବାଦିକା ତଥା ବରିଷ୍ଠ ଉପସ୍ଥାପିକା ଶ୍ରୀମତୀ ପଲ୍ଲବୀ ହୋତାଙ୍କୁ, ହୃଦାନନ୍ଦ ନନ୍ଦ ସ୍ମୃତି ସମ୍ମାନ ସମ୍ବାଦର ଯୁବ କାର୍ଟୁନିଷ୍ଟ ଦେବାଶିଷ ସିଂଙ୍କୁ ଓ ବାଳକୃଷ୍ଣ ହୋତା ସ୍ମୃତି ସମ୍ମାନ କଂଟାବାଂଜି ଓଟିଭି ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ପ୍ରଦାନ କରାଯାଇଥିଲା । ଆଲୋଚନାଚକ୍ରରେ ମୁଖ୍ୟବକ୍ତା ମିଶ୍ର କହିଥିଲେ ଯେ, ଆର୍ଥିକ ସ୍ୱାବଳମ୍ବନଶୀଳତା ନଥିବାରୁ ଓଡିଶାରେ ସାମ୍ବାଦିକମାନେ ଚାପରେ ରହୁଛନ୍ତି । ଆଞ୍ଚଳିକ ସାମ୍ବାଦିକତାକୁ ସମୃଦ୍ଧ କଲେ ଲୋକେ ସଠିକ୍ ଓ ନିରପେକ୍ଷ ଖବର ପାଇବା ସହ ଭୁଲ ଖବରକୁ ନେଇ ପ୍ରଶ୍ନ କରିପାରିବେ ବୋଲି କହିଥିଲେ । ଉଦ୍ଘାଟକ ରାଜ୍ୟସଭା ସାଂସଦ ଶ୍ରୀ ବିଶି ତାଙ୍କ ବକ୍ତବ୍ୟରେ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଓ ଏହା ଚାପରେ ରହିଲେ ଗଣତନ୍ତ୍ର ସମୃଦ୍ଧ ହେବନାହିଁ । ମୁଖ୍ୟଅତିଥି ବିଧାୟକ ମିଶ୍ର ତାଙ୍କ ବକ୍ତବ୍ୟରେ ଆର୍ଥିକ ଅନଗ୍ରସରତା ଏକ କାରଣ ହୋଇଥିଲେ ମଧ୍ୟ ସାମ୍ବାଦିକ ଚାପରେ ରହିବାର ଅନ୍ୟ କାରଣ ରହିଛି । ଖବରକାଗଜ ଓ ଟିଭି ଖବର ସଂସ୍ଥା ମାଲିକମାନେ ସାବଲମ୍ବୀ ହେବା ସତ୍ତେ୍ୱ ସରକାରଙ୍କ ଖବରକୁ ଯେଭଳି ଭାବେ ଛାପୁଛନ୍ତି ଏଥିରେ ସାମ୍ବାଦିକ କେଉଁଠି ଚାପରେ ରହିଲେ ବୋଲି ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀ ଆଜିଯାଏଁ ସାମ୍ବାଦିକ ସମ୍ମିଳନୀ କରିନାହାନ୍ତି ତାଙ୍କୁ ପ୍ରଶ୍ନ ପଚରା ଯାଉନାହିଁ । ଏଥିରୁ କ’ଣ ବୁଝାପଡୁଛି ବୋଲି ପ୍ରଶ୍ନ କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ବୀରେଂଦ୍ର କୁମାର ଝାଙ୍କର ସଭା ସଂଚାଳନ କରିଥିବା ବେଳେ ଉପସଭାପତି ଆନନ୍ଦ ଚଂଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।