om academy

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଛାତ୍ର ସଂଘର ସାମ୍ବାଦିକ ସମ୍ମିଳନୀ : ଶିକ୍ଷା ସଚିବଙ୍କ ମନ୍ତବ୍ୟକୁ ଛାତ୍ର ସଂଘ ଖଣ୍ଡନ ଓ ନିନ୍ଦା କରୁଛି, ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବ ଛାତ୍ର ସଂଘ

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗ ମାଟି ତାପରେ ପାର୍ଟି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ତଥା ବଲାଙ୍ଗିରର ଭବିଷ୍ୟତକୁ ନେଇ କୌଣସି ସାଲିସ୍‌ କରାଯିବ ନାହିଁ । ବିଶ୍ୱ ବିଦ୍ୟାଳୟକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଅତିକମ୍‌ରେ ୧୫୦ ଏକର ଜମି ନିହାତି ଆବଶ୍ୟକ । ଶିକ୍ଷା ସଚିବଙ୍କ ୬୦ ଏକର ଜମି ମନ୍ତବ୍ୟକୁ ଛାତ୍ର ସଂଘ ଖଣ୍ଡନ କରିବା ସହିତ ନିନ୍ଦା କରୁଛି । ସ୍ଥାନୀୟ ଲୋକ ପ୍ରତିନିଧିମାନେ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ପ୍ରତି ବୈମାତୃକ ମନୋଭାବ ପୋଷଣ କରିଛନ୍ତି । ଜିଲ୍ଲା ପ୍ରଶାସନ ତଥା କଲେଜ କର୍ତ୍ତୃପକ୍ଷ ବେଆଇନ ଭାବେ ବିଶ୍ୱ ବିଦ୍ୟାଳୟର ୧୦ ଏକର ଜମିକୁ ଜିଲ୍ଲା କ୍ରୀଡା ସଂଘ ହାତରେ ଟେକି ଦେଇଛନ୍ତି । ବିଶ୍ୱ ବିଦ୍ୟାଳୟକୁ ସଂପୁର୍ଣ୍ଣ କରିବା ପାଇଁ ଜବର ଦଖଲ ଉଚ୍ଛେଦ କରି ଆବଶ୍ୟକୀୟ ୧୫୦ ଏକର ଜମି ଯୋଗଇ ଦେବା ପାଇଁ ସଂଘ ଦାବୀ କରୁଛି । ଦାବୀ ପୂରଣ ନହେଲେ ଜୋରଦାର ଅନ୍ଦୋଳନ ହେବ । ଆବଶ୍ୟକ ହେଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିବାକୁ ଛାତ୍ର ସଂଘ ପଛାଇବ ନାହିଁ ବୋଲି ଛାତ୍ର ସଂଘ ତରଫରୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ତଥା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଛାତ୍ର ନେତା ସୁମନ ନନ୍ଦ ସାମ୍ବାଦିକମାନଙ୍କୁ ନିଜ ଉତ୍ତରରେ କହିଛନ୍ତି । ସୋମବାର ଦିନ ସ୍ଥାନୀୟ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଅଧ୍ୟୟନ କକ୍ଷରେ ଏକ ସମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଅବଶ୍ୟକ ଦିଗ ଉପରେ ସମ୍ବାଦିକମାନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତତ୍‌କାଳୀନ ପାଟଣା ମହାରାଜ ବିଶ୍ୱବିଦ୍ୟାଳୟ ପାଇଁ ୨୪୮ ଏକର ଜମି ପ୍ରଦାନ କରିଥିବା ଶୁଣାଯାଏ । କିନ୍ତୁ ଆଜି ବିଶ୍ୱ ବିଦ୍ୟାଳୟ ପାଖରେ ଏକ ଇଞ୍ଚ ମଧ୍ୟ ଜମି ନଥିବା ଅତ୍ୟନ୍ତ ଦୁଃଖର ବିଷୟ । ଅନ୍ୟ ପଟେ କେଉଁଠି ବିଶ୍ୱବିଦ୍ୟାଳୟ ଜମିକୁ ସରକାର କାହା ହାତକୁ ଟେକି ଦେଇଛନ୍ତି ତ’ ଆଉ କେଉଁଠି ବିଶ୍ୱବିଦ୍ୟାଳୟ ଜମିକୁ କିଛି ଲୋକ ଜବର ଦଖଲ କରି ବସିଛନ୍ତି, ଯାହା ବିଶ୍ୱ ବିଦ୍ୟାଳୟ ଜମି ପ୍ରସଙ୍ଗକୁ ଆହୁରି ଜଟିଳ କରିଛି । ୟୁଜିସ ନିର୍ଦ୍ଦେଶାବଳୀ ଅନୁସାରେ ବିଶ୍ୱବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଓ କର୍ମଚାରୀ ମଧ୍ୟ ନାହାନ୍ତି । ତାହାକୁ ତୁରନ୍ତ ପୂରଣ କରିବାକୁ ସଂଘ ଦାବୀ କରୁଛି । ସେହିପରି ବଲାଙ୍ଗିର ଗାନ୍ଧୀ ଷ୍ଟାଡିଅମ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ଅଭିନ୍ନ ଅଙ୍ଗ । ତତ୍‌କାଳୀନ ଜିଲ୍ଲାପାଳ ଓ କଲେଜ କର୍ତ୍ତୃପକ୍ଷଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାକୁ କ୍ରୀଡା ସଂଘ ହାତକୁ ଟେକି ଦିଆଯାଇଛି । ଏହାକୁ ପୁନଶ୍ଚ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ଫେରାଇ ଦେବା ପାଇଁ ଛାତ୍ର ସଂଘ ଦାବୀ କରୁଛି ବୋଲି ଶ୍ରୀ ନନ୍ଦ ଦୃଢ ଦାବୀ ଉପସ୍ଥାପନ କରିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ବିଜେଡି ଛାତ୍ର ନେତା ଶ୍ରୀ ନନ୍ଦଙ୍କ ବ୍ୟତୀତ ଅନେକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.