ଗୌରଗୋଠ, ଅର୍ଜୁନପୁର ଲୋକଙ୍କୁ ଭେଟି ସମସ୍ୟା ଶୁଣିଲେ ନରସିଂହ

  • ଲୋକଙ୍କ ଠାରୁ ସିଧାସଳଖ ଚାର ଓ ମହୁଲ କିଣୁ ସରକାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଇଁଲାପାଲି ଓ ଗୌରଗୋଠ ପଂଚାୟତର ଗୌରଗୋଠ ଠାରେ ସ୍ଥାନୀୟ ଲୋକମାନଙ୍କ ସହିତ ତାଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ପବିତ୍ର ଶିବରାତ୍ରି ଉପଲକ୍ଷେ ଶ୍ରୀ ମିଶ୍ର ପ୍ରଥମେ ଏହି ଅଂଚଳରେ ଅନୁଷ୍ଠିତ ବିଭିନ୍ନ ଦେବାଳୟ ବୁଲି ମହାପ୍ରଭୁ ମହାଦେବଙ୍କର ଆଶିର୍ବାଦ ଲାଭ କରି ଅଂଚଳ ପାଇଁ ଶୁଭକାମନା କରିଥିଲେ । ଅଇଁଲାପାଲି ଗୌରଗୋଠ ଠାରେ ସ୍ଥାନୀୟ ଲୋକଙ୍କ ପାଖକୁ ଯାଇ ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ଉପରେ ଲୋକଙ୍କ ଠାରୁ ଶୁଣିଥିଲେ । ଧାନକିଣା ସମସ୍ୟା ଫେବୃୟାରୀ ମାସ ଅଧା ଚାଲିଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସମସ୍ତ ଧାନ ଉଠିପାରିନାହିଁ । ଯାହା କିଛି ବି ଯାଇଛି ସେଥିରୁ କଟନି ଛଟନି ହେବାର ଅଭିଯୋଗ ସମସ୍ତ ଚାଷୀ କରୁଛନ୍ତି । ଆହୁରି ମଧ୍ୟ ଲୋକେ ଜଙ୍ଗଲଜାତ ଦ୍ରବ୍ୟ ଚାର, ମହୁଲର ଦରଦାମକୁ ନେଇ ଅନେକ ବର୍ଷରୁ ଅସନ୍ତୁଷ୍ଟ ଥିବା ଉପସ୍ଥିତ ଲୋକଙ୍କ ଠାରୁ ଆଲୋଚନା ବେଳେ ଜଣାପଡିଥିଲା । ଯଦିଓ ଏ ବର୍ଷ ଜଙ୍ଗଲରୁ ଚାର ମହୁଲ ସଂଗ୍ରହ ଆରମ୍ଭ ହୋଇନାହିଁ କିନ୍ତୁ ଏହି ବହୁମୁଲ୍ୟ ଦ୍ରବ୍ୟର ଉଚିତ ଦାମ ଚାର ଓ ମହୁଲ ଗୋଟାଳିମାନେ ପାଇ ପାରୁନାହାନ୍ତି କାରଣ ଏହି ଉଭୟ ଜଙ୍ଗଲଜାତ ଦ୍ରବ୍ୟ କିଣିବା ପାଇଁ ସରକାର କୌଣସି ନିର୍ଦ୍ଦିଷ୍ଟ ନିୟମାବଳୀ ପ୍ରସ୍ତୁତ କରିନାହାନ୍ତି । ବହୁ ବର୍ଷ ପୂର୍ବରୁ ମହୁଲକୁ ସରକାର ପ୍ରତ୍ୟକ୍ଷ ଭାବେ ବନ ନିଗମ ଜରିଆରେ ଲୋକଙ୍କ ଠାରୁ କିଣୁଥିଲେ କିନ୍ତୁ ପରେ ପରେ ସରକାର ସେଥିରୁ ଓହରି ଯିବାରୁ ବର୍ତ୍ତମାନ ବିଭିନ୍ନ ଘରୋଇ ମଧ୍ୟସ୍ଥି ମାନେ ଏହାକୁ ଶାଗ ମାଛ ଦରରେ କିଣୁଛନ୍ତି । ଯଦି ସରକାର ନିଜେ ମହୁଲ କିଣିବେ ତେବେ ଗ୍ରାମ୍ୟ ଅଂଚଳର ଅର୍ଥନୀତି ନିଶ୍ଚିତ ଭାବେ ସୁଦୃଢ ହେବ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କହିଛନ୍ତି । ଠିକ୍‌ ସେହିପରି ଚାର ମଧ୍ୟ ଏକ ବହୁମୁଲ୍ୟ ଜଙ୍ଗଲଜାତ ଦ୍ରବ୍ୟ । ରାଜ୍ୟ ବାହାରେ ମହାରାଷ୍ଟ୍ର, ଗୁଜୁରାଟ ଆଦି ଅଂଚଳରେ ଏହି ଚାର ମଞ୍ଜିର ଦାମ ଅନେକ ବେଶୀ । କିନ୍ତୁ ଆମ ଅଂଚଳରୁ ବ୍ୟବସାୟୀମାନେ ଏହାକୁ କେଜି ପ୍ରତି ଚାରି ଶହ ପାଂଚ ଶହ ଟଙ୍କାରେ କିଣି ବହୁତ ମୁନାଫା କମାଉଛନ୍ତି । ଏଣୁ ଏହି ଉଭୟ ବଣଜାତ ଦ୍ରବ୍ୟକୁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ସହ ସରକାର ତାର ଏଜେନ୍ସି ମାଧ୍ୟମରେ ଲୋକଙ୍କ ଠାରୁ କିଣୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ଏହି ଆଲୋଚନା ବେଳେ ବ୍ଲକ ଉପାଧ୍ୟକ୍ଷା ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରଦୀପ ପଣ୍ଡା, ମୟ ପ୍ରଧାନୀ, ଉମାକାନ୍ତ ଜାଲ, ଅସିତ ମିଶ୍ର, ବିକାଶ ସାହୁ, କୈଳାସ ମିଶ୍ର, ବୁଦ୍ଧଦେବ ସାହୁ, ଜିତୁ ରଣା, ହରିଶଚନ୍ଦ୍ର ଭୋଇ, ପିତାମ୍ବର ମଲ୍ଲିକ, ମୁରଲି ରଣା ଓ ପ୍ରକାଶ ସାହୁଙ୍କ ସମେତ ଅଂଚଳବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.