ଶିକାଛିଡା ପଂଚାୟତର ପ୍ରତାପପୁର ଓ ଖଇସବାହାଲିରେ ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ

  • ଖଇସବାହାଲି ପାଣିରେ ଫ୍ଲୋରାଇଡ ଯୋଗୁଁ ଲୋକେ ରୋଗାଗ୍ରସ୍ତ
  • ମଣ୍ଡି ସମସ୍ୟା ଗୁରୁତର, ସ୍ୱଚ୍ଛ ଭାରତ ମିଶନ ଯୋଜନା ସମ୍ପୂର୍ଣ୍ଣ ଫେଲ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡିସେମ୍ବର ମାସ ପ୍ରଥମ ସପ୍ତାହରୁ ଧାନ କିଣିବା ପାଇଁ ଧାର୍ଯ୍ୟ ହୋଇଥିଲେ ହେଁ ଏ ପର୍ଯ୍ୟନ୍ତ ଶିକାଛିଡା ପଂଚାୟତର ଅଧିକାଂଶ ଚାଷୀ ଧାନ ବିକି ପାରି ନାହାନ୍ତି । ଯାହା କିଛି ବିକିଛନ୍ତି କଟନି ଛଟନି ତଥା ଧାନ କିଣା ବିଳମ୍ବ ଯୋଗୁଁ ଧାନର ଓଜନ କମିଯାଉଥିବାରୁ ଚାଷୀ ଆର୍ଥିକ କ୍ଷତି ସହୁଛନ୍ତି । ତେଣୁ ସରକାର ଓ ବିଭାଗ ଚାଷୀ ସହୁଥିବା କ୍ଷତି ତଥା ଧାନକିଣା ଓ ଟୋକନ ସମସ୍ୟାକୁ ନେଇ ଚାଷୀ ମନରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ସମ୍ବେଦନଶୀଳତା ସହ ଗ୍ରହଣ କରି ଚାଷୀ ଭୋଗୁଥିବା ଆର୍ଥିକ କ୍ଷୟକ୍ଷତିକୁ ଭରଣା କରିବାର ପଦକ୍ଷେପ ନେଉ ଏବଂ କଟନି ଛଟନିରେ ଜଡିତ ମଣ୍ଡି ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଶିକାଛିଡା ପଂଚାୟତର ଖଇସବାହାଲି ଓ ପ୍ରତାପପୁର ଠାରେ ଲୋକଙ୍କ ସହ ଆଲୋଚନା କରି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଏହି ମର୍ମରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ଦ୍ଧାରିତ ଧାନକିଣା ତାରିଖରୁ ଆଜିକୁ ଦେଖିଲେ ପାଖାପାଖି ଦେଢମାସ ହୋଇଯିବ । ଏ ପର୍ଯ୍ୟନ୍ତ ଚାଷୀ ତା ନିଜ ଧାନ ବିକି ପାରିନାହିଁ ଫଳରେ ଧାନର ଆଦ୍ରତା କମି ଓଜନ ମଧ୍ୟ କମିଯିବ । ଫଳରେ ଚାଷୀ ଘୋର ଆର୍ଥିକ କ୍ଷତି ସହିବ । ଏଣୁ ଏ ସବୁର ଭରଣା ସରକାର କରୁ ବୋଲି ଶ୍ରୀ ମିଶ୍ର କହିଥିଲେ । ଆଲୋଚନା ବେଳେ ଲୋକେ ପିଇବା ପାଣିରେ ଫ୍ଲୋରାଡର ମାତ୍ର ଅତ୍ୟାଧିକ ଥିବାରୁ ଏ ଅଂଚଳର ଅଧିକାଂଶ ଲୋକେ କୀଡନି ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେଣୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏହି ସମସ୍ୟା ଗମ୍ଭୀରତା ବୁଝି ଚିକିତ୍ସା ସୁବିଧା ଯୋଗାଇବା ସହ ପାନୀୟ ଜଳରେ ଯେପରି ଫ୍ଲୋରାଇଡ ପରିମାଣ କମିବ ସେ ଦିଗରେ ଗ୍ରାମ୍ୟ ଜଳ ଯୋଗାଣ ସଂସ୍ଥା ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ । ବଲାଙ୍ଗିର ସଦର ବ୍ଲକର ପ୍ରତ୍ୟେକ ଉନ୍ନୟନମୂଳକ କାର୍ଯ୍ୟରେ ପ୍ରିୟା ପ୍ରୀତି ତୋଷଣ ଚାଲିଛି ବୋଲି ଲୋକେ ଅଭିଯୋଗ କରିଥିଲେ । ଅଧିକାରୀ, ନିର୍ବାଚିତ ପ୍ରତିନିଧି ବ୍ଲକର ପ୍ରତ୍ୟେକ ଉନ୍ନୟନମୂଳକ କାମରେ ଦୁର୍ନୀତିକୁ ପ୍ରତ୍ସୋହନ ଦେଉଛନ୍ତି । ଏପରି କି ଏହି ବ୍ଲକ ଅନ୍ତର୍ଗତ ସଦାଇପାଲି ଅଂଚଳରେ ଏକ ରାସ୍ତା କାମ ନ ହୋଇ ତାର ସମ୍ପୂର୍ଣ୍ଣ ଅନୁଦାନ ହଡପ ହୋଇଯିବାର ଅଭିଯୋଗକୁ ନେଇ ଗ୍ରାମବାସୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଛନ୍ତି । ବହୁ ଶୀଘ୍ର ଏହି ଦୁର୍ନୀତିକୁ ନେଇ ତଦନ୍ତ ଆରମ୍ଭ ହେବ ବୋଲି ଶୁଣାଯାଏ । ଆହୁରି ମଧ୍ୟ ଏହି ବ୍ଲକରେ ପୂର୍ବରୁ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନା ସମ୍ପୂର୍ଣ୍ଣ ଫେଲ ମାରିଛି । ଏହି ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ପାଇଖାନା ଅତି ନିମ୍ନମାନର ତାର ବ୍ୟବହାର ପାଇଁ ପାଣିର ସୁବିଧା ନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହି ସବୁ ସମସ୍ୟାକୁ ନେଇ ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଯଦି ଏଥିରେ ସମାଧାନର ବାଟ ନ ବାହାରିବ ତେବେ ଲୋକେ ନିଶ୍ଚିତ ଭାବରେ ଆନ୍ଦୋଳନ ମୁହାଁ ହେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ଏହି ଆଲୋଚନା ବେଳେ କଂଗ୍ରେସ ନେତା ରାମ ମିଶ୍ର, ସ୍ୱଦେଶ ପଟ୍ଟନାୟକ, ଲିଙ୍ଗରାଜ ପୁଟେଲ, କୃଷ୍ଣଚନ୍ଦ୍ର ପଟେଲ, ମେଘନାଦ ଭୋଇ, ବିଭୀଷଣ ପ୍ରଧାନ, ମନୋଜ ବିଶ୍ୱାଲ, ଦ୍ୱାରୁ କରନ, ପ୍ରଦ୍ୟୁମ୍ନ ପଟେଲ, ଚିନ୍ତାମଣି ଭୋଇ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.