ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ଶିରାବାହାଲ ଗସ୍ତ କରି ସେଠାରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଲୋକଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ଚାଷ ଅମଳ ପରେ ଧାନ ସବୁ ଆଜି ପର୍ଯ୍ୟନ୍ତ ମଣ୍ଡିମାନଙ୍କରେ ପଡି ରହିଥିବାରୁ ସ୍ଥାନୀୟ ଲୋକ ଓ ଚାଷୀମାନେ ଘୋର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯଦିଓ ମିଲର୍ସମାନଙ୍କ ଦ୍ୱାରା ଧାନ ଉଠାଇବାକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ତା ଦୂର ହୋଇଛି ତଥାପି ମଧ୍ୟ ଶିରାବାହାଲ ଗାଁର କୌଣସି ବି ଚାଷୀ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନାହାନ୍ତି । ଏହି ସମସ୍ୟାକୁ ନେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କ ସମ୍ମୁଖରେ ଲୋକେ ଅଭିଯୋଗ କରିଥିଲେ । ଏହା ସହ ପିଇବା ପାଣି ଓ ଗାଧୋଇବା ପାଣିକୁ ନେଇ ଲୋକେ ଆଲୋଚନା କରିଥିଲେ । ଯଦିଓ ପିଇବା ପାଣିକୁ ନେଇ ବିଶେଷ ସମସ୍ୟା ନାହିଁ କିନ୍ତୁ ଗ୍ରାମବାସୀଙ୍କ ସାଧାରଣ ବ୍ୟବହାର ପାଇଁ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଥିବା ପୋଖରୀର ଯଦି ଶୀଘ୍ର ଉନ୍ନତିକରଣ କରାନଯାଏ ତେବେ ଗ୍ରୀଷ୍ମଋତୁ ପୂର୍ବରୁ ଲୋକଙ୍କ ଗାଧୋଇବା ଓ ପଶୁପକ୍ଷୀ ଯଥା ଗୃହପାଳିତ ଗାଈଗୋରୁ, ଛେଳିମେଣ୍ଡାଙ୍କ ପାଇଁ ପାଣି ସମସ୍ୟା ଉତ୍କଟ ହେବ । ଏହାର ଏକ ସମାଧାନର ବାଟ ବାହାର କରାଇବା ପାଇଁ ଶ୍ରୀ ମିଶ୍ରଙ୍କୁ ଅନୁରୋଧ କରିଥିଲେ । ସେମାନେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ପାଖାପାଖି ଦୁଇ ବର୍ଷ ହେବ ଉଡାର ପଂଚାୟତର ସିରାହାଲ ସମେତ ଅନ୍ୟ ଗାଁମାନଙ୍କରେ ମଧ୍ୟ କୌଣସି ଉନ୍ନୟନମୂଳକ କାମ ହୋଇନାହିଁ । ଯାହା କିଛି ରାସ୍ତାଘାଟ ହୋଇଥିଲା ଧିରେ ଧିରେ ତାହା ନଷ୍ଟ ହେବାକୁ ବସିଲାଣି । ତେଣୁ ଯେତେ ଶୀଘ୍ର ହେବ ସେ ସବୁର ମରାମତି ତଥା ଉନ୍ନତିକରଣ କାମ ପାଇଁ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କୁ ଗ୍ରାମବାସୀମାନେ ଅନୁରୋଧ କରିଥିଲେ । ପରେ ଗାଁରେ ହେଉଥିବା ଏକ ନାମ ସଂକିର୍ତ୍ତନ କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ର ଯୋଗ ଦେଇଥିଲେ । ଆଜିର ଏହି ମ ଆଲୋଚନା ରେ କୁମୁଦ ମାଝି, ପ୍ରକାଶ ବିଶ୍ୱାଲ, ରଶ୍ମି ବିଶ୍ୱାଲ, କୁନା ବିଶ୍ୱାଲ, ପପୁ ପାତ୍ର, ଆର୍ତ୍ତ ଘିଭେଲା, କୁନା ସାହୁ, ସଂଜୟ ହୋତା, ପିଣ୍ଟୁ ପୋଡ, ମଦନ ସାହୁଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।