ବଲାଙ୍ଗିର, (ଦେବାଶିଷ ମିଶ୍ର) : ଫେବୃୟାରୀ ୧୨ ତାରିଖ ଭାରତ ବନ୍ଦ ପରିପ୍ରେକ୍ଷିରେ ବଲାଙ୍ଗିର ବନ୍ଦ କରିବାକୁ ଜିଲ୍ଲାର ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏବଂ କୃଷକ ସଂଗଠନମାନେ ତେଲିଗୋଠପଡା ସ୍ଥିତ ଓଶ୍ରୁ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଚାଷୀ ଓ ଶ୍ରମିକ ମାରଣ ନୀତିକୁ ତୀବ୍ର ବିରୋଧ କରିଥିଲେ । ଭାରତ ବର୍ଷର ସମସ୍ତ କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ସ୍ୱାଧିନ ଫେଡେରେସନର ନିଷ୍ପତ୍ତି ଯୋଗୁଁ ଆସନ୍ତା ଫେବୃୟାରୀ ୧୨ ତାରିଖ ଦିନ ବଲାଙ୍ଗିର ଜିଲ୍ଲାକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ବିରୋଧି ନୀତି ତଥା ଶ୍ରମିକ କର୍ମଚାରୀ ୪ ଗୋଟି ଶ୍ରମ କୋଡ ବାତିଲ କରିବା, ଶ୍ରମିକ କର୍ମଚାରୀ ବିରୋଧି ଶକ୍ତି ନୀତି ୨୦୨୫ କୁ ବାତିଲ କରିବା, ଦରବୃଦ୍ଧି ନିୟନ୍ତ୍ରଣ ଓ ବିଭିଜି ରାମଜି ଆଇନକୁ ରଦ୍ଧ କରିବା ତଥା ଚାଷ ଓ ଚାଷୀଙ୍କ ପ୍ରତି ହେଉଥିବା ଅବିଚାର ଭଳି ବିଭିନ୍ନ ଦାବିକୁ ନେଇ ବନ୍ଦ କରାଯିବାକୁ ୟୁଟିୟୁବି ଅଧ୍ୟକ୍ଷ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅଶ୍ରୁ ଅଫିସଠାରେ ହୋଇଯାଇଛି । ଏହି ବୈଠକରେ ଆଇଏନ୍ଟିୟୁସି ସଭାପତି କୃଷ୍ଣଚନ୍ଦ୍ର ସାହୁ, ଏଆଇଟିୟୁସିର ସହ-ସଂପାଦକ ଜଗବନ୍ଧୁ ବେହେରା, ଅଶ୍ରୁ ରାଜ୍ୟ ଉପ-ସଭାପତି ଅନିରୁଦ୍ଧ ମହାପାତ୍ର, ଏଆଇଟିୟୁସିର ଜିଲ୍ଲା ସଂଯୋଜକ ସୁନିଲ ଭୋଇ, ଭାରତୀୟ କିଷାନ ୟୁନିୟନ ସଭାପତି ସୌରି କୁମାର ସାହୁ, ନିଖିଳ ଉତ୍କଳ ଗ୍ରାମିଣ ଚାଷୀ ମୁଲିଆ ସଂଘର କାର୍ଯ୍ୟକାରୀ ସଭାପତି ବିପ୍ର ରଣା, ଆଇଏନ୍ଟିୟୁସିର ସାଧାରଣ ସଂପାଦକ ବିଦ୍ୟା ସୁନା, ଅଶ୍ରୁର ଜିଲ୍ଲା ସଂପାଦକ ବାପୁନ କୁମାର ସାହୁ, ସଭାପତି ବିକାଶ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।