ବ୍ରହ୍ମପୁର, (କେପିଏନ୍ଏସ୍) : ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ, ବାଗ୍ମୀ, ଶିକ୍ଷାବିତ୍ ତଥା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୪ତମ ଜନ୍ମ ଦିବସ ଅବସରରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ଏକ ଅଭିନନ୍ଦନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏ ସମ୍ପର୍କରେ ଆୟୋଜିତ ସଭାରେ ପ୍ରତିଷ୍ଠାନର ସଭାପତି ତଥା ନବୀନର ସମ୍ପାଦକ ରବି ରଥ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ଭାବେ ଖଲିକୋଟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ଓ ସମ୍ମାନିତ ଅତିଥି ଭାବେ ଲୋକସେବକ ମଣ୍ଡଳର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଯୋଗଦେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ସମ୍ବର୍ଦ୍ଧନାର ଉତ୍ତର ଦେଇ ଶ୍ରୀ ତ୍ରିପାଠୀ କହିଥିଲେ ଯେ ସାହିତ୍ୟ ସାଧନା ହିଁ ମୋ ଜୀବନର ମୁଖ୍ୟ ଆଧାର । ସାହିତ୍ୟ ସାଧନା ବିନା ମୋ ପକ୍ଷେ କ୍ଷଣେ ମାତ୍ର ଜୀବନ ଧାରଣ କରିବା ଅସମ୍ଭବ ବୋଲି ସେ ପ୍ରକାଶ କରିଥିଲେ । ସଭାପତି ଶ୍ରୀ ରଥ ତାଙ୍କ ଭାଷଣରେ ଏଭଳି ଜଣେ ପ୍ରତିଭାବାନ କବିଙ୍କ ପ୍ରତି ଓଡ଼ିଶା ସାହିତ୍ୟ ଏକାଡେ଼ମୀର ଲଗାତାର ବୈମାତୃକ ମନୋଭାବକୁ ତୀବ୍ର ସମାଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, କବି ପ୍ରମୋଦ କୁମାର ପଣ୍ଡା, ସମାଜସେବୀ ଏସ୍.ପ୍ରକାଶ ଚନ୍ଦ୍ର ପାତ୍ର ଓ ରାମକୃଷ୍ଣ ପାତ୍ର, ଡ଼. ଶାନ୍ତନୁ କୁମାର ଦାଶ, ସରିତା ପଣ୍ଡା, ନବୀନର ପ୍ରକାଶିକା ମଞ୍ଜୁ ରଥ, ବନ୍ଦନା ମହାପାତ୍ର, ଗଙ୍ଗାପାଣି ସାହୁ, ରମାକାନ୍ତ ମିଶ୍ର, ପୂର୍ବତନ କର୍ପୋରେଟର ଜି. ଗୋପାଳ ରେଡ଼ି, ଉମାକାନ୍ତ ଚୌଧୁରୀ, ବିଘ୍ନରାଜ ପଣ୍ଡା, ଭକ୍ତରାମ ପଣ୍ଡା, ଗୋବିନ୍ଦ ପାତ୍ର, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଲାଲବାହାଦୁର ପଟ୍ଟନାୟକ, ଉଦୟନାଥ ପଣ୍ଡା, ଡ଼ା. ସାଗର ରଞ୍ଜନ ତ୍ରିପାଠୀ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସିଏଚ୍ ମହେନ୍ଦ୍ର କୁମାର ପାତ୍ର, ରାଜ କୁମାର ରଥ, ବସନ୍ତ କୁମାର ଅଧିକାରୀ, ବି. ସତ୍ୟମ୍ ଆଚାରୀ, ମନୋଜ କୁମାର ପାଢ଼ୀ, ପବିତ୍ର କୁମାର ଚୌଧୁରୀ ପ୍ରମୁଖ ଯୋଗଦେଇ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସାହିତ୍ୟକୃତି ଓଡ଼ିଆ ବାଣୀ ଭଣ୍ଡାରକୁ ସୁସମୃଦ୍ଧ କରିପାରିଛି ବୋଲି କହିବା ସହ ତାଙ୍କର ଦୀର୍ଘ ଜୀବନ କାମନା କରିଥିଲେ । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସାଧାରଣ ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଉଦୟନାଥ ପଣ୍ଡାଙ୍କ ଦ୍ୱାରା ରଚିତ “ଶ୍ରୀ ଶ୍ରୀ ଗୟା-ମାହାତ୍ମ୍ୟ’ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
Prev Post