ରାଉରକେଲା, (ସସ୍ମିତା ପ୍ରଧାନ) : କିମ୍ବଦନ୍ତୀ ପୁରୁଷ ତଥା ବୀର ସ୍ୱାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ରାଉରକେଲା ସହରର ବିର୍ସା ମୁଣ୍ଡା ଛକ ଠାରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ଜୟନ୍ତିପାଳନ କରାଯାଇଛି । ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା, ସମ୍ମାନୀୟ ଅତିଥି ଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍, ରାଉରକେଲା ଇସ୍ପାତ କାରଖାନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତରୁଣ କୁମାର ମିଶ୍ର, ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ବିର୍ସା ମୁଣ୍ଡା ପ୍ରତିମୂର୍ତ୍ତି କମିଟିର ଅଧ୍ୟକ୍ଷ ରଞ୍ଜିତ କୁମାର ଟପ୍ପୋଙ୍କ ସମେତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୀମା ଫାତିମା ଏକ୍କା ଏବଂ ବିର୍ସାମୁଣ୍ଡା ପ୍ରତିମୂର୍ତ୍ତି କମିଟିର ସମ୍ପାଦକ ବିଜୟ କୁମାର ଟପ୍ପୋ ଯୋଗଦେଇଥିଲେ । ସ୍ୱାଧିନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯିବା ପରେ ମୁଖ୍ୟ ଅତିଥି ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଆଲୋକ ବର୍ମା ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଝାଡଖଣ୍ଡରେ ଜନ୍ମିତ କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡା ଭାରତର ସ୍ୱାଧିନତା ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ । ଝାଡଖଣ୍ଡରେ ବିର୍ସା ମୁଣ୍ଡାଙ୍କୁ ଭଗବାନ ରୂପେ ପୂଜା କରୁଥିବା ବେଳେ ସେ ପ୍ରତ୍ୟେକ ଦିନ ରାଉରକେଲା ଇସ୍ପାତ କାରଖାନା କାର୍ଯ୍ୟାଳୟକୁ ଗଲା ବେଳେ, ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିଙ୍କୁ ଦର୍ଶନ କରି ନମସ୍କାର କରି ଯାଆନ୍ତି ବୋଲି କହିଥିଲେ । ସେହିପରି ସମ୍ମାନୀୟ ଅତିଥି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀର୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସେ ସ୍ୱାଧିନତା ସଂଗ୍ରାମୀ ତଥା କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ବୀରତ୍ୱ ବିଷୟରେ ଜାଣି ତାଙ୍କୁ ବହୁତ ଖୁସି ଲାଗିବା ସହିତ ଗର୍ବିତ ମନେ ହେଉଛି । ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ ମାଲ୍ୟାର୍ପଣ କରାଯିବା ପରେ ରାଉରକେଲାର ବିଭିନ୍ନ ସଂଗଠନଙ୍କ ସମେତ ଜିଲ୍ଲା କଂଗ୍ରେସ, ଜିଲ୍ଲା ବିଜେପି ଏବଂ ବିଜୁ ଜନତା ଦଳ ପକ୍ଷରୁ କିମ୍ବଦନ୍ତୀ ପୁରୁଷ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀୟ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।