- ଆଚରଣରୁ ଧର୍ମର ପ୍ରତିଷ୍ଠା
ରାଉରକେଲା, (ସସ୍ମିତା ପ୍ରଧାନ) : ଚିନ୍ମୟ ଏକାଡେମୀ, ଫର୍ଟିଲାଇଜର ଏବଂ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ସାରନଗରୀ ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ସମାବେଶ ସହ ମହର୍ଷି ବାଲ୍ମୀକି ଜୟନ୍ତୀ ଓ ରାମକଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଫର୍ଟିଲାଇଜର ଆଇଡିଏଲ୍ ଲିଙ୍କ୍ ରୋଡରେ ଥିବା ଚିନ୍ମୟ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବୟିତ୍ରୀ ଶୁଚିସ୍ମିତା ପଣ୍ଡା ମଞ୍ଚ ସଂଯୋଜନା କରିଥିଲାବେଳେ ଚିନ୍ମୟ ଏକାଡେମୀର ଅଧ୍ୟକ୍ଷ ତ୍ରିନାଥ ଦାଶ ମୋହନୀ ସଭାପତି, ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ ମୁଖ୍ୟଅତିଥି, ଗାନ୍ଧୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ସୁରେନ୍ଦ୍ର କୁମାର ବେହେରା ବିଷୟ ବିଶେଷଜ୍ଞ ବରେଣ୍ୟ ବକ୍ତା ଭାବେ ଶ୍ୱେତଲିନା ଶତପଥୀ ଯୋଗଦେଇ ଆଲୋଚ୍ୟ ବିଷୟ ‘ତ୍ୟାଗ ଓ ଆଦର୍ଶର ଶିଳ୍ପକାର: ବାଲ୍ମୀକି ମହର୍ଷି’ ସମ୍ପର୍କରେ ଆଲୋଚନା କରିଥିଲେ । ବିଷୟ ବିଶେଷଜ୍ଞ ଡ. ବେହେରା ଓ ଶ୍ରୀମତୀ ଶତପଥୀ ଆଲୋଚ୍ୟ ପ୍ରସଙ୍ଗରେ ମତ ରଖି କହିଲେ ଯେ, ରାମ ଚରିତ୍ର ସମସ୍ତଙ୍କ ପାଇଁ ଅନୁକରଣୀୟ ।ରାମାୟଣରେ ୨୪ ହଜାର ଶ୍ଳୋକ ରହିଛି । ମଣିଷ ନିଜ କର୍ମ ଦ୍ୱାରା ମହାନ ହୁଏ । ଆଚରଣରୁ ଧର୍ମର ପ୍ରତିଷ୍ଠା ହୋଇଥାଏ । ରାମଚନ୍ଦ୍ର ଆମର ପୂର୍ବଜ । ବାଲ୍ମିକୀ ତାଙ୍କ ରାମାୟଣରେ ତ୍ୟାଗ, ବଳିଦାନ, ପିତୃସତ୍ୟ ପାଳନ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ଲେଖିଥିବା ତଥ୍ୟ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିକୁ ଦେଖି ସମାଜରେ ଏଭଳି ଆଲୋଚନା ନିଶ୍ଚିତ ଫଳପ୍ରଦ ହେବ ବୋଲି ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ଦାସ ମୋହିନୀ ସଭାପତିତ୍ୱ ଅଭିଭାଷଣରେ ଏଭଳି କାର୍ଯ୍ୟକ୍ରମ ଆଗକୁ ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରି ସେମାନଙ୍କର ନୈତିକ ମୂଲ୍ୟବୋଧକୁ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ମହାନଗର ସଂଗଠନ ସମ୍ପାଦକ କୁଞ୍ଜବିହାରୀ ରାଉତ ଅତିଥିମାନଙ୍କ ପରିଚୟ ପ୍ରଦାନ, ନଗର ଉପସଭାପତି ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପ୍ରାକ୍ କଥନ ଦେଇଥିଲାବେଳେ ଦ୍ୱାଦଶ ଶ୍ରେଣୀର ଛାତ୍ର ସାହିଲ ପ୍ରଧାନ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଶେଷରେ ସମ୍ପାଦକ ମନୋଜ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ମନୋଜ କୁମାର ଚୌଧୁରୀ ଓ ସାହିଲ ପ୍ରଧାନ ପରିଷଦର ଆଜୀବନ ସଦସ୍ୟତା ପାଇଁ ପରିଷଦର ରାଉରକେଲା ମହାନଗରର ସାଧାରଣ ସମ୍ପାଦକ ଡ. ସୁଷମା ମୋଦୀ ଓ ସମ୍ପର୍କ ପ୍ରମୁଖ ଧରିତ୍ରୀ ପାଇକରାୟ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୌରାଙ୍ଗ ଦାଶ, ଅଚ୍ୟୁତ କୁମାର ଷଡ଼ଙ୍ଗୀ, ବିଜୟ ମିଶ୍ର, ହରିହର ବେହେରା, ଅଶୋକ ସାମଲ, ପ୍ରତିଭା ଦାଶ ମୋହନୀ, ସୁବର୍ଣ୍ଣ ଦତ୍ତ, ସୁବର୍ଣ୍ଣ ବେହେରା, ଲୀଳାବତୀ ମହାପାତ୍ର, ଆରତୀ ଦାଶ, ମୀନତି ପାଢ଼ୀ, କରୁଣାକର ପାଟ୍ଟଶାଣୀ, ପ୍ରମୋଦ ଜଗଦ୍ଦେବ ପ୍ରମୁଖ ଉପସ୍ଥିତ ଥିଲେ ।