ବଲାଙ୍ଗିର, (କେପିଏନ୍ଏସ୍) : କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ପକ୍ଷରୁ ହାଓଡ଼ା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ଟ୍ରେନ ବଲାଙ୍ଗିର ଜିଲ୍ଲା ଲୋଇସିଂହା ରେଲଷ୍ଟେସନରେ ରହଣି ପାଇଁ ଅନୁମୋଦନ ମିଳିଛି । ତେବେ କେବେଠାରୁ ଏହା ରହିବ, ତାହା ସ୍ପଷ୍ଟ ହୋଇପାରି ନାହିଁ । ଏହି ଟ୍ରେନର ରହଣୀ ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖୁସିର ମହୋଲ ଦେଖିବାକୁ ମିଳିଛି । ବିଶେଷକରି ପଶ୍ଚିମବଙ୍ଗ ଯାଉଥିବା ଲୋକେ ବେଶୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଉଛି । ତେବେ ଉକ୍ତ ଏକ୍ସପ୍ରେସ ଟ୍ରେନ ରହଣୀର ଶ୍ରେୟ ନେବା ସକାଶେ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂଦେଓଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଡ. ମହାଲିଙ୍ଗ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ, କେନ୍ଦ୍ର ରେଳମନ୍ତ୍ରୀ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷେ ସାଂସଦ ଶ୍ରୀମତୀ ସିଂଦେଓ ଏଥିପାଇଁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଏହି ଟ୍ରେନର ରହଣୀ ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ଦୈନନ୍ଦିନ ଯାତ୍ରା ସହଜ ଓ ଲାଭଦାୟକ ହେବା ସହିତ ଆଞ୍ଚଳିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ଆଶା ପ୍ରକଟ କରିଛନ୍ତି । ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୋଷ୍ଟରେ ସେ “ମୁକେଶ ବାବୁ, ଟିକେ ମୋତେ ବି ଧନ୍ୟବାଦ ଦେବେ” ବୋଲି ଲେଖିଛନ୍ତି । ସାଂସଦଙ୍କ ଏହି କମେଣ୍ଟ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ଖୋରାକ ଯୋଗାଇଥିବା ବେଳେ ଉଭୟଙ୍କ ସମର୍ଥକଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି ।
