om academy

ସମାଜସେବୀଙ୍କ ହସ୍ତକ୍ଷେପ ପରେ ତିନି ଶିଶୁ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଓ ସରକାରୀ ସହାୟତା ପାଇଲେ

jsm

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କେନ୍ଦୁପାଟି ଗାଁର ଉତ୍ତମ ବାରିକ କେନସର ରୋଗରେ ଆକ୍ରାନ୍ତ ହୋଇ ଗତ କିଛିମାସ ତଳେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସ୍ତ୍ରୀ ରଶ୍ମିତା ବାରିକ ନିଜର ସୁନା, ଗହଣା, ଜମି ବନ୍ଧକ ରଖି ତାଙ୍କୁ ଉନ୍ନତ ମାନର ଚିକିତ୍ସା ଲାଗି ବିଭିନ୍ନ ଡାକ୍ତରଖାନା ନେଇଥିଲେ । ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ଲୋକଙ୍କ ଠାରୁ ଧାର, କରଜ ନେଇ ଚିକିତ୍ସା କରିଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ଉତ୍ତମଙ୍କ ପରିବାର କହିଲେ ଦୁଇ ବୃଦ୍ଧ ବାପା ମା, ସ୍ତ୍ରୀ ରଶ୍ମିତା ବାରିକ ଓ ତିନି ଶିଶୁ ମିତା, ସାଲୋନୀ ଓ ଭିକି । ଘର ମଧ୍ୟ ଭାଙ୍ଗିବା ଅବସ୍ଥାରେ । ସ୍ୱାମୀଙ୍କ ଦେହାନ୍ତ ପରେ ତିନି ଶିଶୁ ଓ ବୃଦ୍ଧ ଶାଶୁ ଶ୍ୱଶୁରଙ୍କୁ ନେଇ ତାଲାବନ୍ଦ ସମୟରେ ଚଳିବା ବହୁତ ଅସୁବିଧା ହେଉଥିବା ଖବର ସ୍ୱେଚ୍ଛାସେବୀ ମମତା ପ୍ରଧାନ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଖବର ପାଇଲା ପରେ ଯଶୋବନ୍ତ ରଣା, ଧିରେନ ସୁନାନୀ ଓ ମମତା ପ୍ରଧାନ ତାଙ୍କ ଘରକୁ ଯାଇ ତାଙ୍କୁ ସମସ୍ତ ସରକାରୀ ସହାୟତା ପାଇବାରେ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ ଓ ତାଙ୍କର ସମସ୍ତ ଡକୁମେଣ୍ଟ ସଂଗ୍ରହ କରିଥିଲେ । ପରେ ଏହି ସମସ୍ୟାକୁ ଯଶୋବନ୍ତ ରଣା କଳାହାଣ୍ଡି ଜିଲ୍ଲାପାଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜୁନାଗଡ଼ ବ୍ଲକ ପ୍ରଶାସନଙ୍କୁ ଜଣାଇ ବାରିକ ପରିବାରକୁ ଆର୍ଥିକ ସହାୟତା ସହ ତାଙ୍କର ତିନି ଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ନିବେଦନ କରିଥିଲେ । ସୂଚନା ପାଇ ଜୁନାଗଡ଼ ବ୍ଲକ ପ୍ରଶାସନ ଏହାର ତଦନ୍ତ କରିଥିଲେ । ପ୍ରଶାସନ ପହଂଚି ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ବାରିକ ପରିବାରଙ୍କୁ ପ୍ରଦାନ କରିଥିଲେ । ରଶ୍ମିତା ବାରିକଙ୍କୁ ବିଧବା ଭତ୍ତା ୫ ଶହ ମାସିକ ଦେବାକୁ ପ୍ରତିଶୃତି ଦେଇଛନ୍ତି । ସେହିପରି ରଶ୍ମିତାଙ୍କୁ ଖୁବ ଶୀଘ୍ର ଆବାସ ଘର ଟିଏ ମଧ୍ୟ ଦେବେ । ଜାତୀୟ ପରିବାର ମଙ୍ଗଳ ଯୋଜନାରେ ତାଙ୍କୁ ୨୦, ୦୦୦ ହଜାର ଟଙ୍କା ମିଳିବ । ସେହିପରି ତାଙ୍କର ତିନି ଶିଶୁ ମିତା ବାରିକ, ସାଲୋନୀ ବାରିକ ଓ ବିକି ବାରିକଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରି ମାସିକ ୧୫୦୦ ସହ ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ସମାଜସେବୀଙ୍କ ଏହିପରି ପ୍ରୟାସକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.