ଅଘରିଆ ସମାଜ ନୂଆଁଖାଇ ଭେଟ ଦେଲା ଏକତାର ପରିଚୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ବଲାଙ୍ଗୀର କୋଶଳ କଳା ମଣ୍ଡଳ ପଡ଼ିଆ ଠାରେ ୮୪ ଘର ଅଘରିଆ ସମାଜ ବଲାଙ୍ଗିର ଜିଲ୍ଲା ଟ୍ରଷ୍ଟ ଆନୁକୂଲ୍ୟରେ ପଞ୍ଚମ ବର୍ଷ ନୂଆଁଖାଇ ଭେଟ ୨୦୨୪ ମହାଡମ୍ବର ଭାବେ ପାଳନ ହୋଇଯାଇଛି । ଅନ୍ୟୁନ ୧୫ ହଜାରରୁ ଅଧିକ ସମାଜ ଭାଇଙ୍କ ଉପସ୍ଥିତିରେ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ସଭାପତିତ୍ୱରେ ୨ଟି ପର୍ଯ୍ୟାୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ସକାଳ ୯ ଘଣ୍ଟା ସମୟରେ ସାମାଜିକ ପତାକାତ୍ତୋଳନ ସହ ଆରାଧ୍ୟ ଠାକୁର ପ୍ରଭୁ ଜଗନ୍ନାଥ,ମାଁ ପାଟେଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ପ୍ରଥମ ପର୍ଯ୍ୟାୟ ସଭା ମୁଖ୍ୟଅତିଥି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ଅଖିଳ ଭାରତୀୟ ଅଘରିଆ ସମାଜ ସଭାପତି ଭୁବନେଶ୍ୱର ପଟେଲ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଭୁବନେଶ୍ୱର ଠାରେ ସରକାର ପ୍ରଦାନ କରିଥିବା ଅଧ ଏକର ଭୂମି ଓ ୩ କୋଟି ଅନୁଦାନ ପଶ୍ଚିମ ଓଡିଶାରେ ବସବାସ କରୁଥିବା ଅଘରିଆ ସମାଜର ହକ ଥିବାରୁ ଏହା ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର ଜିଲ୍ଲା ଏବଂ ଓଡିଶାରେ ବସବାସ କରୁଥିବା ଅଘରିଆ ଭାଇମାନେ ପାଇବେ ବୋଲି କହିଥିଲେ । ଧାନ କୁଇଣ୍ଟାଲ ୩୧୦୦ ପାଇବା ସାଙ୍ଗକୁ କଟନୀ – ଛଟନୀକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ବୋଲି ଘୋଷଣା କରିଥିଲେ । ଅଘରିଆ ସମାଜର ଭାଷା, ସଂସ୍କୃତି ଓ ପରମ୍ପରା ରାଜା ରାଜୁଡା ଅମଳରୁ ବଜାୟ ରଖି ଏକତା ରଖି ଆସୁଥିବାରୁ ସମାଜକୁ ଧନ୍ୟବାଦ ଦେଇଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଡ଼ଃ. ମୁକେଶ ମହାଲିଙ୍ଗ ସମାଜର ଏକତା ଓ କାର୍ଯ୍ୟଧାରାକୁ ନେଇ ଖୁସିବ୍ୟକ୍ତ ହେବାସହ ସମାଜର ବିଭିନ୍ନ ବର୍ଗରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରିଥିଲେ । କଳାକାର ସମ୍ମାନ -କିଶୋର ପଟେଲ ସରଗାଡ଼, କୃଷକ ସମ୍ମାନ – ନରହରି ରାଉତ ଲର୍କିପାଲି ଓ ସାନ ତେଲେନପାଲି ନିବାସୀ ଶ୍ରୀକାନ୍ତ ପଟେଲ, ସେବା ସମ୍ମାନ – ବିବେକାନନ୍ଦ ପଟେଲ ମେହେରମୁଣ୍ଡା, ଜ୍ୟୋତିପ୍ରକାଶ ପଟେଲ ଭଇଁଷା, ପ୍ରଭଞ୍ଜନ ପଟେଲ ଡଙ୍ଗରମୁଣ୍ଡା ଓ ରାଜକୁମାର ପଟେଲ ରାଣିପାଲି, ଶିକ୍ଷା କ୍ଷେତ୍ରରେ ଶତକଡା ୯୦%ରୁ ଅଧିକ ନମ୍ବର ଆଣିଥିବା କୃତି ପ୍ରତିଭା ହେଲେ ପୁଇଁତଲା ନିବାସୀ ସୋହାନି ନାଏକ (ଜିଲ୍ଲା ଟପର )ପ୍ରିୟାଂଶି ପଟେଲ ବାନ୍ଧନଘୋର, କ୍ରିଷ୍ଣା ସ୍ୱରୂପ ପଟେଲ ବଂଜାରି, +୨ରେ ପ୍ରିୟରଞ୍ଜନ ପଟେଲ କୁମେରପଟା । କ୍ରୀଡା କ୍ଷେତ୍ରରେ ଭରତବାହାଲ ନିବାସୀଓମ ଶଙ୍କର ପଟେଲ, ବିକାଶ କୁମାର ପଟେଲ ଡ଼ୁମେରପାଲି, ଅରିଜିତ ପଟେଲ ବିର୍କେଲ, ପ୍ରିୟ ଲୋଚନ ପଟେଲ ଶିକାବାହେଙ୍ଗା, N.I.T ଶିକ୍ଷାକ୍ଷେତ୍ର ପାଇଁ ଦେବାଶିଷ ପଟେଲ ଡ଼ଙ୍ଗରମୁଣ୍ଡା, I.I.T ଶିକ୍ଷା ପାଇଁ ଶିବାନୀ ପଟେଲ ଡ଼ଙ୍ଗରମୁଣ୍ଡା ଓ ତରଣୀ ସେନ ନାଏକ ବୁଢାବାହାଲ । ସମାଜର କିର୍ତ୍ତୀକୁ ଦ୍ୱିଗୁଣିତ କରିଥିବାରୁ ଏମାନଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଉପ ସଭାପତି ଲିଲି ପଟେଲ ଅତିଥିଙ୍କୁ ଧନ୍ୟବାଦ ଦେଇଥିଲେ । ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଅପରାହ୍ନ ୧ ଘଣ୍ଟା ସମୟରେ ଟ୍ରଷ୍ଟ ସଭାପତି ଶୁଭ୍ରାଂଶୁ ଶେଖର ପଟେଲଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ, ପୌରାଧ୍ୟକ୍ଷ୍ୟା ଲିକା ସାହୁ, ଅଖିଳ ଭାରତୀୟ ଅଘରିଆ ସମାଜ ଓଡିଶା ପ୍ରଦେଶ ରାଜ୍ୟ ସଭାପତି ଦୀନବନ୍ଧୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରି ସାଂସଦ ଶ୍ରୀ ବିଶି କହିଲେ, ଅଘରିଆ ଭାଷା, ରୀତିନୀତି ଚାଲିଚଳନ ଅନ୍ୟମାନଙ୍କ ଠାରୁ ଭିନ୍ନ, ଯାହାର ଭାଷା ସୁନ୍ଦର ସେ ସମାଜ ସେତେ ଉନ୍ନତ ଜ୍ଝଯଦି ସରକାରଙ୍କୁ ଆମେ ଦାବୀ ଜଣେଇବା ତାହେଲେ ଅଘରିଆ ଭାଷା ସମ୍ବିଧାନର ଅଷ୍ଟମ ପାରିଚ୍ଛେଦରେ ଯୋଡି ହୋଇଯିବ । ଆପଣମାନେ ଚେଷ୍ଟା କରନ୍ତୁ ମୁଁ ଆପଣଙ୍କ ସାଥିରେ ଅଛି । ପୁଣି ଆପଣଙ୍କର ଏକତା ଓ ନିଷ୍ଠାପର କାର୍ଯ୍ୟକୁ ସମ୍ମାନ ଜଣାଇ ଟ୍ରଷ୍ଟ ନାମରେ ଏକ ଆମ୍ବୁଲାନ୍ସ ଗାଡି ଚଲେଇବା ବୋଲି ଘୋଷଣା କରିଥିଲେ । ମାନ୍ୟବର ବିଧାୟକ ବଲାଙ୍ଗିର ଟ୍ରଷ୍ଟ ମାଧ୍ୟମରେ ଏକ ଇ – ଲାଇବ୍ରେରୀ ଖୋଲିବାର ପ୍ରତିଶୃତି ଦେଇଥିଲେ । ପୌରାଧ୍ୟକ୍ଷ୍ୟା ଶ୍ରୀମତୀ ସାହୁ ଯେକୌଣସି ସମୟରେ ମୋ ଦ୍ୱାରା ଯାହା ସମ୍ଭବ ତାହା ପୂରଣ କରିବି ବୋଲି ପ୍ରତିଶୃତି ଦେଇଥିଲେ । ଇତି ମଧ୍ୟରେ ସମାଜର ଆଗଧାଡିର ନେତୃତ୍ୱ ନେଉଥିବା କୁସଙ୍ଗ ମଣ୍ଡଳର ଉପସଭାପତି ସ୍ୱର୍ଗତ ଦାମୋଦର ପଟେଲ ନିବାସୀ ବିର୍କେଲଙ୍କ ଦେହାନ୍ତ ପରେ ତାଙ୍କ ପରିବାରକୁ ମାରନୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ଧନ୍ୟବାଦ ଦେଇଥିଲେ ଟ୍ରଷ୍ଟ ସଭ୍ୟ ତଥା ଉପଦେଷ୍ଟା ଦ୍ୱାରିକାନାଥ ପଟେଲ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ଦିଗାମ୍ବର ନାଏକ, ଶେଷରେ ୩୪ ଟି ଦଳର ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୨୦୨୪ ନୁଆଁଖାଇ ଭେଟ ସଫଳ ରୂପାୟନରେ ସହଯୋଗ କରିଥିଲେ । କେନ୍ଦ୍ର କମିଟି, ଉପଦେଷ୍ଟା ମଣ୍ଡଳୀ, ବଲାଙ୍ଗିର, ଭାଲେର, କୁଶଙ୍ଗ ଓ ଭଇଁଷା ମଣ୍ଡଳର ସଭାପତି ଓ କର୍ମକର୍ତ୍ତା, ୧୮ ଗୁଡି ସଭାପତି ଓ କର୍ମକର୍ତ୍ତା, ଗ୍ରାମ ସଭାପତି ଓ କର୍ମକର୍ତ୍ତା, ବଦାନ୍ୟ ବ୍ୟକ୍ତି ବିଶେଷ, ମହିଳା ମଞ୍ଚ, କୃଷକ ମଞ୍ଚ, ଯୁବା ମଞ୍ଚ, ନିର୍ମାଣ କମିଟି, ଶିକ୍ଷା କମିଟି ଓ ପୁସ୍ତକ କମିଟିର ସଭାପତି ଓ କର୍ମକର୍ତ୍ତା ।

Leave A Reply

Your email address will not be published.