
ବ୍ରହ୍ମପୁର : ବ୍ରହ୍ମପୁର ବଡ଼ଜାର ଥାନା ଅନ୍ତର୍ଗତ ବାଛୁବାରୀ ସାହିରେ ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲା ପ୍ଲାଷ୍ଟିକ ଗୋଦାମ । ଏହି ଅଗ୍ନିକାଣ୍ଡ ଲାଗି ଗୋଦାମରେ ଥିବା ଅନେକ ପ୍ଲାଷ୍ଟିକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ସେହି ରାସ୍ତା ଦେଇ ଯାଉଥିବା ଲୋକ ଘର ଭିତରୁ ଧୂଆଁ ବାହାରୁଥିବାର ଦେଖିଥିଲେ । ଅଳ୍ପ କିଛି ସମୟ ମଧ୍ୟରେ ନିଆଁ ବ୍ୟାପି ଯାଇଥିଲା । ହୁତୁ ହୁତୁ ହୋଇ ସବୁ ଜଳିବାରେ ଲାଗିଥିଲା । ସ୍ଥାନୀୟ ଲୋକ ପ୍ରଥମେ ୧୦୧ରେ ଯୋଗାଯୋଗ କରିଥିଲେ । ଦେଶୀ ବେହେରା ସାହିରେ ଯାତ୍ରା ଦାୟିତ୍ୱରେ ଥିବା ଅଗ୍ନିଶମ କର୍ମଚାରୀଙ୍କୁ ମଧ୍ୟ ଜଣାଇଥିଲେ । ଏହାପରେ ବ୍ରହ୍ମପୁର ଅଗ୍ନିଶମ ବାହିନୀର ୨ଟି ଟିମ୍ ଆସି ଘଟଣା ସ୍ଥଳରେ ପହଞ୍ଚିଥିଲେ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ । ତେବେ ଘର ବାହାରୁ ତାଲା ପଡିଥିଲା । ଶେଷରେ ତାଲା ଭାଙ୍ଗି ଘରେ ପଶିବା ସହ ପ୍ରାୟ ଦେଢ ଘଣ୍ଟା ଧରି ପରିଶ୍ରମ କରିବା ପରେ ନିଆଁ ଲିଭାଇଥିଲେ । ନିଆଁରେ ପୋଡି ହୋଇ ଲକ୍ଷାଧିକ ଟଙ୍କାର ଜିନିଷ ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନଥିବା ବେଳେ ବିଦ୍ୟୁତ ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।