jayashree

ଟିଟିଲାଗଡ଼ ହାଟପଦା ପଡ଼ା ଦୈନିକ ବଜାରର ଅବ୍ୟବସ୍ଥାର ଖୁବ ଶୀଘ୍ର ହେବ ସମାଧାନ : ବିଧାୟକ ନବୀନ ଜୈନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ରହିଛି ଟିଟିଲାଗଡ଼ ହାଟପଦା ସ୍ଥିତ ଦୈନିକ ବଜାର । ପୂର୍ବରୁ ସୁପର ମାର୍କେଟ କରାଯିବ ବୋଲି ସେତେବେଳର ଉପଜିଲ୍ଲାପାଳ ବଜାର ଭିତରେ ପରିବା ବ୍ୟବସାୟୀଙ୍କୁ ୬ ମାସ ସମୟ ମାଗି କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ଦୀର୍ଘ ଦୁଇ ବର୍ଷ ବିତି ଯାଇଥିଲେ ହେଁ ସ୍ୱପ୍ନରେ ରହିଗଲା ନୂତନ ବଜାର । ଚଳିତ ନିର୍ବାଚନରେ ବିଜେପି ବିଧାୟକ ଭାବେ ନବୀନ ଜୈନ ଜିତିବା ପରେ ଗୁରୁବାର ଅପରାହ୍ନରେ ସମସ୍ତ ବ୍ୟବସାୟୀ ମାନେ ଏହି ସମସ୍ୟାକୁ ନେଇ ଏକ ବୈଠକ ଡାକିଥିଲେ । ଏହି ବୈଠକରେ ବିଧାୟକ ନବୀନ ଜୈନ, ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ନେତା ବୀରବର ସାହୁ, ପରିବା ହୋଲ୍‌ସେଲ୍‌ ସଭାପତି ନିରାକାର ସରାଫ, ପୌର ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ବଜାରର ମୁଖ୍ୟ ସମସ୍ୟା ବିଷୟରେ ଉପସ୍ଥିତ ଥିବା ଲୋକେ ଅବଗତ କରାଇଥିଲେ । ବଜାର ଟିକସ ଆଦାୟ କାର୍ଯ୍ୟାଳୟରେ କାର୍ଯ୍ୟରତ ନରୋତ୍ତମ ହୋତାଙ୍କୁ ଏଠାରୁ ହଟାଯାଉ ବୋଲି ଦାବି ହୋଇଥିଲା । ଏସବୁ ଶୁଣିବା ପରେ ଡିସେମ୍ବର ସୁଦ୍ଧା ନୂତନ ଢାଞ୍ଚାରେ ହାଟପଦା ଦୈନିକ ବଜାର ନିର୍ମାଣ ହେବା ସହ ସମସ୍ତ ବ୍ୟାପାରୀ ମାନଙ୍କୁ ନିଶ୍ଚୟ ଥଇଥାନ କରାଯିବ ବୋଲି ବିଧାୟକ ଶ୍ରୀ ଜୈନ କହିଛନ୍ତି । ତା’ ସହିତ ହାଟପଦା ପଡ଼ା ୱାର୍ଡ ନମ୍ୱର ୧୪/୧୫ର ଥିବା ସମସ୍ତ ଅବହେଳିତ ରାସ୍ତାର ନିର୍ମାଣ କାମ ଅତି ଶୀଘ୍ର କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ସଭା ସାରି ବଜାର ଭିତର, ନାଳ ନର୍ଦ୍ଦମା, ଘଣ୍ଟା ଶୁଣି ମନ୍ଦିର ସାମ୍ନାରେ ଥିବା ଅଳିଆ ଆବର୍ଜ୍ଜନା ମୁକ୍ତ କିପରି କରାଯିବ ସେନେଇ ପୌର ନିର୍ବାହୀ ଅଧିକାରୀଙ୍କୁ ପଦକ୍ଷେପ ନେବାକୁ ଶ୍ରୀ ଜୈନ କହିଥିଲେ । ପରିମଳ ବ୍ୟବସ୍ଥା ସୁଧାରିବାକୁ ମଧ୍ୟ ପରିମଳ ଅଧିକାରୀଙ୍କୁ କହିଥିଲେ । ତେବେ ବ୍ୟବସାୟୀଙ୍କ ଅପେକ୍ଷା ରହିଲା ଡିସେମ୍ବର ମାସକୁ । ଏହି ଦୈନିକ ବଜାର ଅବହେଳିତ ଅବସ୍ଥାରେ ଥିବା ଯୋଗୁଁ ସ୍ଥାନୀୟ ବେପାରୀ ଓ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.