- ଚାଷୀ ଆନ୍ଦୋଳନକୁ କୋଶଳ ଆନ୍ଦୋଳନର ସମର୍ଥନ ଘୋଷଣା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପ୍ରତି ଧାନ ମଣ୍ଡି ସମସ୍ୟା ଓ ଧାନର ଅଭାବୀ ବିକ୍ରୀ ସମସ୍ୟାକୁ ନେଇ ସମଗ୍ର ରାଜ୍ୟରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ଏହି ସମସ୍ୟା କୋଶଳାଞ୍ଚଳରେ ବେଶୀ ଉତ୍କଟ ଆକାରରେ ଛାଲିଛି । ଟୋକନ ପ୍ରଦାନରେ ଅବ୍ୟବସ୍ଥା ଓ କଟନୀ ଛଟନୀ ସମସ୍ୟାକୁ ନେଇ ଚାଷୀ ସମାଜ ଭୟଙ୍କର ଭାବରେ ସରକାର ଉପରେ କ୍ଷୁବ୍ଧ ଅଛନ୍ତି । ଏଭଳି ସମୟରେ ବରଗଡ ଧନୁଯାତ୍ରା ମଂଚରେ କୃଷିମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ ଓ ତତ୍ ପରବର୍ତ୍ତୀ ଘଟଣାବଳୀ ପାଇଁ ସମଗ୍ର ରାଜ୍ୟର ଚାଷୀ ସମାଜ ସରକାରଙ୍କ ଉପରେ ଅସଂଭବ ଭାବରେ କ୍ଷୁବଧ ଅଛନ୍ତି । ବିଗତ ସରକାରଙ୍କ ୨୪ ବର୍ଷ ଶାସନ ଓ ତତ୍ ପୂର୍ବବର୍ତ୍ତୀ କଂଗ୍ରେସ ଶାସନ ସମୟରେ ମଧ୍ୟ କୋଶଳାଞ୍ଚଳର ଚାଷୀ ଅଭାବୀ ବିକ୍ରୀ ସମସ୍ୟାରେ ଜର୍ଜରିତ ହେଉଥିଲେ । ସବୁ ବର୍ଷ ଚାଷୀ ଆନ୍ଦୋଳନ ମଧ୍ୟ ଚାଲିଥିଲା । ଚାଷୀଙ୍କ ଅସନ୍ତୋଷ ଯୋଗୁଁ ଉଭୟ ସରକାର ବିତାଡିତ ହେଲା ପରେ ବର୍ତ୍ତମାନ ବିଜେପି ସରକାର ଚାଲିଛି । ଏହି ସରକାରଙ୍କ ଅମଳରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଥିଲେ ମଧ୍ୟ ସରକାର ଟୋକନ ପ୍ରଦାନ ସମସ୍ୟା ଓ ମଣ୍ଡିର ସମସ୍ୟା ସମାଧାନ କରିବାରେ ବର୍ତ୍ତମାନ ଯାଏଁ ବିଫଳ ରହିଛନ୍ତି । ତେଣୁ ମିଲ ମାଲିକ ଓ ଧାନ ଦଲାଲଙ୍କ ସହ ଓ ଅନ୍ୟ ରାଜ୍ୟର ଧାନ ବେପାରୀଙ୍କ ସହ ସରକାରଙ୍କ ମଧୁ ଚନ୍ଦ୍ରିକା ଚାଲିଛି ବୋଲି ଚାଷୀ ସଂଗଠନମାନେ ଅଭିଯୋଗ କରୁଛନ୍ତି । ଦୁର୍ଭାଗ୍ୟର କଥା ଯେ ଚାଷୀଙ୍କ ଏହି ସମସ୍ୟାର ସମାଧାନ ଓ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ବର୍ତ୍ତମାନ ସୁଦ୍ଧା କୌଣସି ଠୋସ୍ ପଦକ୍ଷେପ ନେଇପାରି ନାହାନ୍ତି । ତେଣୁ ପ୍ରତିବାଦର ଚାଷୀ ସଂଗଠନମାନେ ସରକାରଙ୍କ ବିରୁଦ୍ଧରେ ରାସ୍ତାକୁ ବାହାରିଲେଣି । ଏଭଳି କି ଆଗାମୀ ୨୮ ତାରିଖରେ ଏକ ନିର୍ଦ୍ଦିଷ୍ଠ ଚାଷୀ ସଂଗଠନ ବନ୍ଦର ଡାକରା ମଧ୍ୟ ଦେଲେଣି । କୋଶଲ ଆନ୍ଦୋଳନ କୌଣସି ରାଜନୈତିକ ଗୋଷ୍ଠୀର ଆନ୍ଦୋଳନ ନୁହେଁ, ଏହା ମାଟି ମୁକ୍ତିର ଆନ୍ଦୋଳନ । ଆମ ଅଞ୍ଚଳର ଚାଷୀ, ଛାତ୍ର, ଯୁବକ, ବୁଦ୍ଧିଜୀବୀ, ଶିଶୁ, ନାରୀ, କର୍ମଚାରୀ ଓ ଅର୍ଥନୈତିକ ରୂପେ ଶୋଷିତ ଶ୍ରେଣୀଙ୍କ ମୁକ୍ତି ଓ ଏ ଅଞ୍ଚଳର ସର୍ବବିଧ ବିକାଶ କେବଳ ସଂବିଧାନର ଧାରା ୩ ଅନୁଯାୟୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ହେଲେ ଯାଇ ସଂଭବ । ତେଣୁ କୋଶଳାଞ୍ଚଳର ଚାଷୀମାନେ ସାମୁହିକ ଭାବେ ଚାଷୀ ଆନ୍ଦୋଳନ ଓ କୋଶଲ ଆନ୍ଦୋଳନକୁ ଶାଣିତ କରନ୍ତୁ । ଚାଷୀଙ୍କ ସମସ୍ୟା କୋଶଳାଞ୍ଚଳର ମୁଖ୍ୟ ସମସ୍ୟା । କାରଣ କୋଶଳାଂଚଳର ଅର୍ଥନୀତି କୃଷି ଭିତିକ ଅର୍ଥନୀତି ଅଟେ । ତେଣୁ ଚାଷୀ ଆନ୍ଦୋଳନକୁ କୋଶଳ ଆନ୍ଦୋଳନ ସଂପୂର୍ଣ୍ଣ ରୂପେ ସମର୍ଥନ କରେ, ଏବଂ ସରକାର ସଂବେଦନଶୀଳ ହୋଇ ଚାଷୀଙ୍କ ସମସ୍ୟା ସମାଧାନ କରିବା ସହ ଏଭଳି ଟୋକନ ବ୍ୟବସ୍ଥା ଓ କଟନୀ ଛଟନୀ ବ୍ୟବସ୍ଥା ଉଚ୍ଛେଦ କରିବା ସହ ଅସାଧୁ ଧାନ ବ୍ୟବସାୟୀଙ୍କ ଚକ୍ରରେ ନ ପଡିବାକୁ କୋଶଳ ଆନ୍ଦୋଳନ ଦାବି କରିଛି । ତେଣୁ ବେଳହୁୁଁ ସରକାର ସତର୍କ ହୁଅନ୍ତୁ ନ ହେଲେ ପରିଣତି ଭୟାବହ ହୋଇପାରେ ବୋଲି କୋଶଳ ଆନ୍ଦୋଳନ ତରଫରୁ ଚେତାବନୀ ଦିଆଯାଇଛି । ସମ୍ବାଦିକ ସମ୍ମିଳନରେ ଶରତ କୁମାର ହୋତା, ରଣରାଜ ସିଂହ ଦେଓ, ରବି ଶଙ୍କର ମିଶ୍ର ଉପସ୍ଥିତ ଥିଲେ ।