ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ଓ ଛେଣ୍ଡ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ପାଠାଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଡ. ବିଭୁତି ଭୂଷଣ ପଣ୍ଡାଙ୍କ ପୌରହିତ୍ୟ ଓ ଶିକ୍ଷାବିତ୍ ଶର୍ମିଷ୍ଠା କବିଶତପଥୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଇଂ ନବଘନ ସାହୁ ଯୋଗଦେଇ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଆଲୋଚ୍ୟ ବିଷୟ ଭାଷା, ସାହିତ୍ୟ ଓ ସଂସ୍କୃତିରେ ଆମ ଅସ୍ମିତାବୋଧ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚକ ଭାବେ କବି ରାଜୀବ ପାଣି ଓ ପ୍ରଶ୍ନକର୍ତ୍ତା ଭାବେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଯୋଗ ଦେଇଥିଲେ । ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରି ଶ୍ରୀ ପାଣି କହିଲେ ଯେ, ଅସ୍ମିତା ଗୋଟିଏ ଜାତିର, ଗୋଟିଏ ବ୍ୟକ୍ତିର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରେ । ଅସ୍ମିତା ନିଜ ଭିତରେ ସମ୍ମାନ ବୋଧ ବଢ଼ାଇବାରେ ସହାୟକ ହୋଇଥାଏ । ଅସ୍ମିତା ତୁଳନାତ୍ମକ ହୋଇପାରେ । ଏହା କୌଣସି ସମୟ ସୀମା ମଧ୍ୟରେ ସିମୀତ ବା କୌଣସି ଭୌଗଳିକ ଆୟତନ ମଧ୍ୟରେ ଆବଦ୍ଧ ନୁହେଁ । ଏହା କଳିଙ୍ଗ ଯୁଦ୍ଧରେ, ଖଣ୍ଡଗିରି ଗୁମ୍ଫାରେ, ଓଡ଼ିଆଙ୍କ ହୁଳହୁଳିରେ, ଝୋଟି ଚିତାରେ, ମାଣବସା ଗୁରୁବାରରେ, ଆମ କଳା ସାହିତ୍ୟ, ସଂଗୀତ, ନୃତ୍ୟରେ ମଧ୍ୟ ଅସ୍ମିତା ଭରପୁର ରହିଛି । ଅସ୍ମିତା ଆମ ଭାଷା ସାହିତ୍ୟକୁ ସୁଶୋଭିତ କରିଛି ଏବଂ ସମଗ୍ର ବଶ୍ୱର ସାଂସ୍କୃତିକ ଚେତନାରେ ଓଡ଼ିଶାର ବିଭିନ୍ନ ପ୍ରକାର ଅସ୍ମିତା ଭରି ରହିଛି । ଏହା ସମ୍ପର୍କରେ ପାଠ୍ୟ ପୁସ୍ତକ, ଶିକ୍ଷାରେ ସ୍ଥାନ ପାଇଲେ ଏହା ଅଧିକ ପରିବ୍ୟାପ୍ତ ହୋଇପାରିବ । ପ୍ରଶ୍ନକର୍ତ୍ତା ଶ୍ରୀ ପାଟ୍ଟଶାଣୀଙ୍କ ପ୍ରଶ୍ନି ଓ ଆଲୋଚକ ଶ୍ରୀ ପାଣିଙ୍କ ଉତ୍ତର ସମଗ୍ର ପରିବେଶକୁ ଭାବଗମ୍ଭିର କରି ତୋଳିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଗାଳ୍ପିକା ଅଧ୍ୟାପିକା ମାହେଶ୍ୱତା ସାହୁ ‘ଅନ୍ଧାରର ହାତ ଗୋଡ’ ସମ୍ପର୍କରେ ଗଳ୍ପ ପାଠ କରିଥିଲେ । ତୃତୀୟ ପର୍ଯ୍ୟାୟରେ କବି ମଞ୍ଜୁଳା କୁମାରୀ ରଥଙ୍କ ସଂଯୋଜନାରେ ଜିଲ୍ଲାର ବିଶିଷ୍ଟ କବି ସୁଧାଂଶୁ ଅଶୋକ, କୁଞ୍ଜବିହାରୀ ରାଉତ, ବଳରାମ ରାଉଳ, ମୀନକେତନ ପଶାୟତ, ଗୌତମ ଦାସ, ରଶ୍ମି ସାହୁ ପ୍ରମୁଖ ସ୍ୱରଚିତ ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଶେଷରେ ଗାଳ୍ପିକ କାଶୀନାଥ ନନ୍ଦୀ ଗଳ୍ପ ଓ କବିତା ଗୁଡ଼ିକର ମାର୍ମିକ ସମୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଅନୁଷ୍ଠାନର କର୍ମକର୍ତ୍ତାଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Next Post