ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୋ ପାଠାଗାର, ମୂନିନ୍ଦା ଠାରେ ନୀଳାଚଳ କୃଷକ ମହାସଂଘର ୩୭ତମ ବାର୍ଷିକ ଉତ୍ସବ ଓ କୃଷକ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ଉତ୍ସବରେ ମହାସଂଘର ସଭାପତି ତଥା ଯୁବ ଆଇନଜୀବୀ ଗୋପୀନାଥ ମିଶ୍ର ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ରୂପେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ତଥା ନବଜୀବନ ମଣ୍ଡଳ, କଟକର ସଭାପତି ଗୂରୂପ୍ରସାଦ ମହାନ୍ତି, ସମ୍ମାନିତ ଅତିଥି ରୂପେ ଭାରତ ସରକାରଙ୍କ କେନ୍ଦ୍ରୀୟ ମହିଳା କୃଷି ଗବେଷଣା ସଂସ୍ଥାନର ଡକ୍ଟର ସବିତା ମିଶ୍ର, ଭାରତ କୃଷକ ସମାଜର ପ୍ରଶାନ୍ତ କୁମାର ସାହୁ, ସାଇ କୃଷି ଶିଳ୍ପ ସଂସ୍ଥାର ସୂଜ୍ଜିତ କୁମାର ପାଣିଗ୍ରାହୀ, ମହାସଂଘ ଉପଦେଷ୍ଟା ମଣ୍ଡଳୀର ସଭାପତି ନିରଞ୍ଜନ ମହାପାତ୍ର ପ୍ରମୁଖ ଯୋଗଦେଇ କୃଷକମାନଙ୍କ ସମସ୍ୟା ଓ ଏହାର ସମାଧାନ ଉପରେ ଗୁରୁତ୍ୱ ଆରୋପ କରିବା ସହ କୃଷକମାନଙ୍କ ଅଧିକାର ଭାରତୀୟ ସାମ୍ବିଧାନିକ ଅନ୍ତର୍ଭୁକ୍ତ ହେଲେ କୃଷକଙ୍କ ସାମଗ୍ରିକ ବିକାଶ ସାଧନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ନୀଳାଚଳ କୃଷକ ମହାସଂଘର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସମ୍ପାଦକ ଉଗ୍ରେସନ ବିଶ୍ବାଳ ମହାସଂଘର ଲକ୍ଷ୍ୟ ଓ କାର୍ଯ୍ୟଧାରା ସମ୍ପର୍କ ଉପରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାସଂଘର କୃଷକମାନେ ଭୂମି ପୂଜନ ସହ ଅକ୍ଷିମୁଠି ଅନୁକୂଳ କରିଥିଲେ । ସ୍ଥାନୀୟ ସରପଞ୍ଚ ଶେଷଦେବ ବାରିକ କୃଷି ବୈଜ୍ଞାନିକ, କୃଷକ ମାନଙ୍କୁ ସ୍ବାଗତ କରିଥିଲେ । ଉପସଭାପତି ପ୍ରକାଶ ରାୟ ଦୟା ଓ ଲୁଣା ନଦୀ ଶଯ୍ୟା ଖନନ କ୍ଷେତ୍ରରେ ମହାସଂଘର ଉଦ୍ୟମ ଅବତାରଣା କରିଥିଲେ । କେନ୍ଦ୍ରୀୟ ସାମୁଦ୍ରିକ ମତ୍ସ୍ୟ ଗବେଷଣା ସଂସ୍ଥାନ, କଲିକତାର ଅଧ୍ୟକ୍ଷ ଡକ୍ଟର ବସନ୍ତ କୁମାର ଦାସଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯାଇଥିଲା । ଏହି ଅବସରରେ ପୁରୀ ଜିଲ୍ଲାର ସଫଳ ଚାଷୀ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏଥିସହିତ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀଙ୍କୁ କୃଷକ ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଯୁଗ୍ମ ସମ୍ପାଦକ ଦୁଃଶାସନ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.