ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ମହକୁମା ଯାଦବ ଭବନଠାରେ ଆସନ୍ତା ଅଗଷ୍ଟ ୯ କ୍ରାନ୍ତି ଦିବସରେ ଧାରଣ ସମାବେଶ ସଫଳତା ପାଇଁ ମିଳିତ କନ୍ଭେନସନ୍ ଏଆଇଟିୟୁସି ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କନ୍ଭେନସନ୍କୁ ସମ୍ବୋଧିତ କରି ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା କହିଛନ୍ତି ଯେ, ୨୦୧୪ ପୂର୍ବରୁ ନରେନ୍ଦ୍ର ମୋଦୀ ଅଚ୍ଛେଦିନର ସୁନେଲି ସ୍ୱପ୍ନ ଦେଖାଇ ଶାସନ କ୍ଷମତା ଅକ୍ତିଆର କରିବା ପରେ ଦେଶର ସାଧାରଣ ସମସ୍ୟା ଅତି ଉତ୍କଟ ହୋଇଛି । ଦରଦାମ ଆକାଶ ଛୁଆଁ ହୋଇଛି, ବେକାରୀ ବଢିଛି, ମଜୁରି ହାର କମିଛି, ସମସ୍ତ ସରକାରୀ ଉଦ୍ୟୋଗ ବ୍ୟାଙ୍କ, ଏଲ୍ଆଇସି, ଖଣି ଖାଦାନ ଆଦାନୀ/ ଅମ୍ବାନୀ ଭଳି ପୁଞ୍ଜିପତିମାନଙ୍କୁ ସମର୍ପି ଦେଇ ସେମାନଙ୍କୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରାଇବାରେ ସହାୟକ ହୋଇଛନ୍ତି । ଯେଉଁମାନେ ମୋଦୀ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନଙ୍କୁ ଇଡି, ସିବିଆଇ, ଆଇଟି ପରି ସାମ୍ବିଧାନିକ ସଂସ୍ଥାର ଦୁରୁପଯୋଗ କରି ଗିରଫ କରାଯାଉଛି । ଏଣୁ ଦେଶର ସମ୍ବିଧାନ ଓ ଜନସାଧାରଣଙ୍କ ଜୀବନ ଜୀବିକାର ସୁରକ୍ଷା ପାଇଁ ପୁଣି ଥରେ ଅଗଷ୍ଟ ୯ କ୍ରାନ୍ତି ବିପ୍ଲବ ପରି ଜନଗଣଙ୍କ ଆନ୍ଦୋଳନ ସୃଷ୍ଟି କରି ବିଜେପି ଶାସନ ଗାଦିରୁ ହଟାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଆଇଏନ୍ଟିୟୁସି ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁ, ଏଆଇଟିୟୁସି ରାଜ୍ୟ ସମ୍ପାଦକ ନମିତା ସାହୁ, ତିର୍ଥ ପଧାନ, ସାଏବୁ ନନ୍ଦ, ମନୋଜ ଗୌଡ, ପୁଲିନ ମିଶ୍ର, ଗୋପାଳ ଭୋଇ, ଓମି ଗୁପ୍ତା, ମାଧବି କଲତା, ଜଗବନ୍ଧୁ ବେହେରା, ପ୍ରବିର କୁମାର କମ୍ପ, ସୁବାଷ ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।